ବରଗଡ଼(ସତ୍ୟପାଠ ବ୍ୟୁରୋ): ମହାକାଶରେ ନୂଆ ଇତିହାସ ରଚିଲା ଭାରତ। ସଫଳ ହେଲା ‘ବିକ୍ରମ-ଏସ୍’ ରକେଟ ଉତକ୍ଷେପଣ । ତେବେ ଏହି ସଫଳତା ପଛରେ ବହୁ ବୈଜ୍ଞାନିକଙ୍କ ହାତ ରହିଥିବା ବେଳେ ଏଥିରେ ସାମିଲ ହୋଇଥିଲେ ଜଣେ ଓଡ଼ିଆ ପୁଅ। ବରଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ଯୁବ ବୈଜ୍ଞାନିକ ଇଂ.ଶିଭମ ଆର୍ଯ୍ୟନ ବାଗଙ୍କ ସମ୍ପୃକ୍ତି ବରଗଡ଼ବାସୀଙ୍କୁ ବେଶ ଆହ୍ଲାଦିତ କରିଛି। ଶିଭମ ହେଉଛନ୍ତି ବରଗଡ଼ ପୌରାଞ୍ଚଳ ୱାର୍ଡ ନମ୍ବର ୧୨ର ସ୍ୱର୍ଗତ ସୁରେନ୍ଦ୍ର କୁମାର ବାଗଙ୍କ ନାତି ଏବଂ ସୁନାମଧନ୍ୟ ଡାକ୍ତର ସୁନୀଲ କୁମାର ବାଗଙ୍କ ପୁଅ। ବାଲ୍ୟକାଳରୁ ମେଧାବୀ ଥିବା ଶିଭମ, ଭାରତର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଏନ୍.ଆଇ.ଟିରୁ ସଫଳତାର ସହ ଇଞ୍ଜିନିୟରିଂ ସମ୍ପୂର୍ଣ୍ଣ କରିଥିଲେ। ଏନ୍.ଆଇ.ଟି.ରୁ ଉତ୍ତୀର୍ଣ୍ଣ ହେବା ପରେ ଶିଭମଙ୍କ ଅସାଧାରଣ ବୈଷୟିକ ଦକ୍ଷତା ଏବଂ ମହାକାଶ ବିଜ୍ଞାନ ପ୍ରତି ଥିବା ଗଭୀର ରୁଚି ଯୋଗୁଁ ସେ ହାଇଦ୍ରାବାଦସ୍ଥିତ ‘ସ୍କାଏରୁଟ୍ ଏରୋସ୍ପେସ୍’ରେ ଜଣେ ଯନ୍ତ୍ରୀ ଭାବେ ଯୋଗଦେବାର ସୁଯୋଗ ପାଇଥିଲେ। ସେ ‘ବିକ୍ରମ କ୍ରିଉ ଟିମ୍’ରେ ଜଣେ ସକ୍ରିୟ ସଦସ୍ୟ ଭାବେ ସ୍ଥାନ ପାଇଥିଲେ। ରକେଟର ନିର୍ମାଣ, ପରୀକ୍ଷଣ ଏବଂ ଉତକ୍ଷେପଣ ପ୍ରକ୍ରିୟାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ମିଶନର ସଫଳତା ସାଧାରଣ ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କୁ ମହାକାଶ ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଏକ ବଡ଼ ପ୍ରେରଣା ଯୋଗାଇବ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ସହଯୋଗରେ ଉତକ୍ଷେପଣ କରାଯାଇଥିବା ଦେଶର ପ୍ରଥମ ଘରୋଇ ନିର୍ମିତ ରକେଟ ‘ବିକ୍ରମ-ଏସ୍’ ଭାରତୀୟ ମହାକାଶ ବିଜ୍ଞାନ ଇତିହାସରେ ଏକ ନୂତନ ଏବଂ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି। ହାଇଦ୍ରାବାଦସ୍ଥିତ ମହାକାଶ ପ୍ରଯୁକ୍ତିବିଦ୍ୟା ସଂସ୍ଥା ‘ସ୍କାଏରୁଟ୍ ଏରୋସ୍ପେସ୍’ ଦ୍ୱାରା ପ୍ରସ୍ତୁତ ଏହି ରକେଟର ସଫଳ ଉତକ୍ଷେପଣ ଭାରତକୁ ବିଶ୍ୱର ଅଗ୍ରଣୀ ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ମିଶନରେ ସାମିଲ ହୋଇ ଶିଭମ କେବଳ ନିଜ ପରିବାର ନୁହେଁ, ବରଂ ସମଗ୍ର ବରଗଡ଼ ଜିଲ୍ଲା ତଥା ଓଡ଼ିଶା ପାଇଁ ବିରାଟ ଗୌରବ ଆଣିଛନ୍ତି।
