ଦୁର୍ଘଟଣାରେ ମୃତ ମୋଟର ସାଇକେଲ ଆରୋହୀଙ୍କ ବାପାଙ୍କୁ ୧ ମାସ ମଧ୍ୟରେ ୧୬ ଲକ୍ଷ ବୀମାରାଶି ପ୍ରଦାନ ପାଇଁ ଓରିଏଣ୍ଟାଲ ଇନ୍ସ୍ୟୁରାନ୍ସକୁ ନିର୍ଦ୍ଦେଶ

ଭଦ୍ରକ: ଦୁର୍ଘଟଣାରେ ମୃତ ମୋଟର ସାଇକେଲ ଆରୋହୀଙ୍କୁ ବୀମା ରାଶି ବାବଦକୁ ମିଳିବ 16 ଲକ୍ଷ ଟଙ୍କା ।ଏକ ମାସ ମଧ୍ୟରେ ୧୫ ଲକ୍ଷ ଜୀବନ ବୀମା ରାଶି ସହ ଜରିମାନା ବାବଦ ୧ ଲକ୍ଷ ଟଙ୍କା ଓ ମୋକଦ୍ଦମା ଖର୍ଚ୍ଚ ବାବଦ ୨୦ ହଜାର ଟଙ୍କା ୧ ମାସ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି |

ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ସୁସୋ ଥାନା ଅନ୍ତର୍ଗତ ବାଲିବରେଇ ଗ୍ରାମର ସୁଦର୍ଶନ ମାଝୀଙ୍କ ପୁତ୍ର ସଂଗ୍ରାମ କେଶରୀ ମାଝି ଏକ କେ.ଟି.ଏମ. ବାଇକ ଓ.ଡି.୨୨ ପି-୫୧୮୭କୁ ବାଜାଜ ଫାଇନାନ୍ସ କଂପାନୀରୁ କିସ୍ତିରେ କ୍ରୟ କରି ଓରିଏଣ୍ଟାଲ ଇନ୍ସ୍ୟୁରାନ୍ସରେ ବୀମାଭୁକ୍ତ କରିଥିଲେ। ବୀମାର ଅବଧି ୧୪.୦୫.୨୦୧୯ରୁ ୧୩.୦୫.୨୦୨୪ ଯାଏ ବଳବତ୍ତର ଥିଲା।

ସଂଗ୍ରାମ ନିଜର କର୍ମସ୍ଥଳ ପଶ୍ଚିମବଂଗର ଆସାନସୋଲରୁ ସେହି ବାଇକରେ ଗତ ୧୩.୦୬.୨୦୧୯ରେ ୬୦ ନମ୍ବର ଜାତୀୟ ରାଜପଥରେ ଘରକୁ ଫେରୁଥିବା ବେଳେ ମେଦିନାପୁର ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ମୋଟର ସାଇକେଲ ଓ.ଡି.୨୯- ୪୬୯୦ ସହ ମୁହାଁମୁହି ଧକ୍କା ହୋଇଥିଲା | ତାଙ୍କୁ ଗୁରୁତର ଭାବରେ ନିକଟସ୍ଥ ମେଦିନାପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲେ ବି ତା ପର ଦିନ ସେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।ସଂଗ୍ରାମଙ୍କ ପିତାଙ୍କ ଅଭିଯୋଗ ଆଧାରରେ ମେଦିନାପୁର ଥାନା କେସ ନଂ-୪୭୮/୧୯ ଏକ ମାମଲା ରୁଜୁ ହୋଇଥିଲା।

ତା ପରେ ଦୁର୍ଘଟଣା ଜନିତ ବୀମାରାଶିକୁ ପାଇବା ପାଇଁ ସଂଗ୍ରାମଙ୍କ ପିତା ସୁଦର୍ଶନ ବାରମ୍ବାର ଓରିଏଣ୍ଟାଲ ବୀମା କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହେବା ପରେ ବାଧ୍ୟ ହୋଇ ସେ ଭଦ୍ରକ ଜିଲ୍ଲା ଖାଉଟି କମିସନଙ୍କ ନିକଟରେ ଓରିଏଣ୍ଟାଲ ବୀମା କଂପାନି ବିରୋଧରେ ସି.ଡି.କେସ ନଂ-୭୧/୨୧ରେ ଏକ ମାମଲା ରୁଜୁ କରିଥିଲେ। ଉଭୟଙ୍କ ଠାରୁ ଶୁଣିବା ପରେ ଆଜି ମାନ୍ୟବର କମିସନ ବୀମା କଂପାନୀର ମନୋମୁଖି କାମକୁ ନାପସନ୍ଦ କରିବା ସହ କର୍ତ୍ତବ୍ୟରେ ଅବହେଳା ପାଇଁ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏତେ ପରିମାଣରେ ବୀମା କ୍ଷତି ପୂରଣ ଦେବା ଭଦ୍ରକ ଖାଉଟି ଅଦାଲତର ପ୍ରଥମ ତଥା ଦୃଷ୍ଟାନ୍ତମୂଳକ ବୋଲି କୁହାଯାଉଛି। ସୁଦର୍ଶନଙ୍କ ତରଫରୁ ଭଦ୍ରକର ବରିଷ୍ଠ ଆଇନଜୀବୀ ବିନୟ କୁମାର ସ୍ବାଇଁ ମାମଲା ପରିଚାଳନା କରୁଥିଲେ

Related Posts