ଜମ୍ମୁ-କଶ୍ମୀରିର କୁଲଗ୍ରାମର ହାସନପୁରାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ି । ଫଳରେ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ଜଣେ ହେଡ୍ କନଷ୍ଟେବଳଙ୍କର ମୃତ୍ୟୁ ଘଟିଛି। ସହିଦ ସୁରକ୍ଷାକର୍ମୀ ଜଣକ ହେଉଛନ୍ତି ଅଲ୍ଲି ମଦ୍ ଗେନ୍। ଶନିବାର ଏହି ଘଟଣା ଘଟିଛି। ଅଲ୍ଲି ମଦ୍ କୁଲଗ୍ରାମ ପୁଲିସ ଷ୍ଟେସନରେ ନିଯୁକ୍ତି ପାଇଥିଲେ। ଗୁଳି ମାଡ଼ ପରେ ଅଲ୍ଲି ମଦ୍ଙ୍କୁ ହସପିଟାଲ ନିଆଯାଇଥିଲା। କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ଏରିଆରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅଧିକ ଫୋର୍ସ ସେଠାରେ ମୁତୟନ କରାଯାଇଛି।
୩ ଦିନ ପୂର୍ବରେ ଉକ୍ତ ଅଞ୍ଚଳରେ ସେନାର ଗୁଳିରେ ୨ ଜଣ ଉଗ୍ରବାଦୀଙ୍କ ମୃତ୍ୟୃ ଘଟିଥିଲା। ଏହା ପରେ ସେମାନେ ରକ୍ତମୁଖା ହୋଇପଡ଼ିଥିବା କୁହାଯାଉଛି।
ଇତି ମଧ୍ୟରେ ଆଜି ଅପରାହ୍ନ ୪ଟାରେ ଶ୍ରୀନଗରର ମହାରାଜ ବଜାରରେ ଉଗ୍ରବାଦୀମାନେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଗ୍ରନେଡ ମାଡ଼ କରିଥିଲେ ମଧ୍ୟ କାହାରି କିଛି କ୍ଷତି ହୋଇ ନାହିଁ। ଉକ୍ତ ଅଞ୍ଚଳକୁ ମଧ୍ୟ ପୁଲିସ କର୍ଡ଼ନ କରାଯାଇଛି। ଏଥିସହ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି ।
