ପାରଳାଖେମୁଣ୍ଡି(ସତ୍ୟପାଠ ବ୍ୟୁରୋ): ଜିଇଁ ଥାଉ ଥାଉ ଆଧାର କାର୍ଡରେ ମୃତ୍ୟୁ ଘୋଷଣା । ଏଭଳି ଗୁରୁତର ତ୍ରୁଟି ଯୋଗୁଁ ଆଧାର କାର୍ଡଟି ନିଷ୍କ୍ରିୟ ହୋଇଯାଇଥିବାବେଳେ ମିଳୁନି ରାସନ ଚାଉଳ। ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜ ଦୁଃଖ ଜଣାଇଛନ୍ତି l ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକ୍ ମହେନ୍ଦ୍ରଗଡ ପଂଚାୟତ ରଣାଲଇ ଗାଁରୁ ଅାସିଛି ଏଭଳି ଅଭିଯୋଗ l ଏହି ଗାଁର ଜିଖରିୟ ପାଳ ନାମକ ଜଣେ ହିତାଧୀକାରୀଙ୍କୁ ଆଧାର କାର୍ଡରେ ମୃତ ବୋଲି ଦର୍ଶାଯାଇଛି l ପଞ୍ଚାୟତକୁ ଚାଉଳ ଆଣିବାକୁ ଯିବା ପରେ ତାଙ୍କର ଆଧାର କାର୍ଡଟି ନିଷ୍କ୍ରିୟ ହୋଇଯାଇଥିବା ସହ ଅନଲାଇନରେ ତାଙ୍କୁ ମୃତ ବୋଲି ଦର୍ଶାଯାଇଥିବା ସେ ଜାଣିବାକୁ ପାଇଲେ। ଆଧାର କାର୍ଡରେ ତ୍ରୁଟି ଯୋଗୁଁ ତାଙ୍କୁ ରାସନ୍ ଚାଉଳ ମିଳୁନି। ବାରମ୍ବାର ସ୍ଥାନୀୟ ପ୍ରଶାସନ ନିକଟକୁ ଯାଇ ସେ ବିଫଳ ହେବା ପରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଏହା ସହ ତୁରନ୍ତ ତାହାକୁ ସଂଶୋଧନ କରିବାକୁ ସେ ଦାବି କରିଛନ୍ତି l ଜିଲ୍ଲପାଳ ବ୍ଲକ୍ ଯୋଗାଣ ଅଧିକାରୀଙ୍କୁ ପଚାରି ବୁଝିବା ସହ ଯଦି ସେଭଳି ତ୍ରୁଟି ହୋଇଛି ତୁରନ୍ତ ସଂଶୋଧନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି l
