ଇଡି ବିରୋଧରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ସାଙ୍ଘାତିକ ଅଭିଯୋଗ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିରୋଧରେ ବର୍ଷିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ | ମହାରାଷ୍ଟ୍ର ସରକାରକୁ ଭାଙ୍ଗିବା ପାଇଁ ଇଡି ତାଙ୍କୁ ସହଯୋଗ କରିବାକୁ କହିଥିବା କହିଛନ୍ତି ସଂଜୟ ରାଉତ |ହେଲେ ଏଥିରେ ସେ ରାଜି ନ ହେବାରୁ ଏବେ ଇଡି ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହଇରାଣ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି |

ଏ ସଂକ୍ରାନ୍ତରେ ସେ ଗୋଟିଏ ଚିଠି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ମଧ୍ୟ ଲେଖିଛନ୍ତି। ଏହି ଚିଠିକୁ ଶ୍ରୀ ରାଉତ ଟ୍ୱିଟର୍‌ରେ ପୋଷ୍ଟ କରିବା ପରେ ଇଡିର ରାଜନୀତିକରଣ ପ୍ରସଙ୍ଗ ପୁଣି ଜୋର ଧରିଛି।

ଶ୍ରୀ ରାଉତ କହିଛନ୍ତି, ଇଡି ଓ ଅନ୍ୟ ତଦନ୍ତକାରୀ ସଂସ୍ଥାର ଅଧିକାରୀମାନେ ସେମାନଙ୍କର ରାଜନୀତିକ ଗୁରୁଙ୍କ ଗୁଲାମ ବନି ଯାଇଛନ୍ତି। ମୋତେ ଫିକ୍ସ କରିବାକୁ ସେମାନଙ୍କ ବସ୍‌ ନିର୍ଦ୍ଦେଶ ଦେଇଥିବା ମଧ୍ୟ ଅଧିକାରୀମାନେ ସ୍ୱୀକାର କରିଛନ୍ତି। ଯଦି ସେ ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ଆୟୋଜନ କରିବା ଦିଗରେ ସହଯୋଗ ନ କରିବେ, ତା’ହେଲେ ତାଙ୍କୁ ଓ ତାଙ୍କ ପରିବାର ବର୍ଗଙ୍କୁ ଜେଲରେ ଭର୍ତ୍ତି କରିଦିଆଯିବ ବୋଲି ଇଡିର ଅଧିକାରୀମାନେ କହିଥିବା ଶ୍ରୀ ରାଉତ ଚିଠିରେ ଉଲ୍ଲେଖ କରିଛନ୍ତି।

ସେ ଚିଠିରେ ଲେଖିଛନ୍ତି ଯେ “ପ୍ରାୟ ଏକ ମାସ ପୂର୍ବେ କିଛି ଲୋକ ମୋ ସହିତ ଯୋଗାଯୋଗ କରିଥିଲେ ଓ ମହାରାଷ୍ଟ୍ରରେ କ୍ଷମତାସୀନ ସରକାରକୁ ଭାଙ୍ଗିବାରେ ସାହାଯ୍ୟ କରିବାକୁ କହିଥିଲେ। ସେମାନେ ଚାହୁଁଥିଲେ ଯେ ଏଦିଗରେ ମୁଁ ଏମିତି କିଛି କାର୍ଯ୍ୟ କରିବି ଯେଉଁଥିପାଇଁ ରାଜ୍ୟରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ସମ୍ଭବ ହୋଇପାରିବ। କିନ୍ତୁ ଏହି ଗୁପ୍ତ ଏଜେଣ୍ଡାର ପାର୍ଟନର ହେବାକୁ ମୁଁ ମନା କରିଦେଇଥିଲି।

ଏହାପରେ ସେମାନେ ମୋତେ ଏହାର ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ। ଏପରି କି ମୋର ଅବସ୍ଥା ଭବିଷ୍ୟତରେ ଜଣେ ପୂର୍ବତନ ରେଳମନ୍ତ୍ରୀଙ୍କ ଭଳି ହେବ ଓ ମୋତେ ଜେଲର ଚାରି କାନ୍ଥ ମଧ୍ୟରେ ବହୁତ ବର୍ଷ ବିତାଇବାକୁ ପଡ଼ିବ ବୋଲି ସେମାନେ କହିଥିଲେ।

ମୋ ବ୍ୟତୀତ ମହାରାଷ୍ଟ୍ର ସରକାରରେ ଥିବା ଦୁଇ ଜଣ ବରିଷ୍ଠ ମନ୍ତ୍ରୀ ଓ ଦୁଇ ଜଣ ବରିଷ୍ଠ ନେତାଙ୍କୁ ମଧ୍ୟ ଜେଲରେ ପୂରାଇ ଦିଆଯିବ। ଆମ ମାନଙ୍କ ବିରୋଧରେ ପିଏମଏଲଏ ଆକ୍ଟ ଲାଗିବ। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ନେତାମାନଙ୍କୁ ଜେଲରେ ଭର୍ତ୍ତି କରି ସେମାନେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ମହାରାଷ୍ଟ୍ରରେ କରିବେ ବୋଲି ମୋତେ ଧମକ ଦେଇଥିଲେ।

Related Posts