ଇସ୍ରୋ ମୁଖ୍ୟ ଭାବେ ବରିଷ୍ଠ ବୈଜ୍ଞାନିକ ଏସ୍‌ ସୋମନାଥଙ୍କୁ ନିଯୁକ୍ତି

ବରିଷ୍ଠ ବୈଜ୍ଞାନିକ ଏସ୍‌ ସୋମନାଥ ହେଲେ ଦେଶର ପରବର୍ତ୍ତୀ ଇସ୍ରୋ ମୁଖ୍ୟ । ଆଜି କେନ୍ଦ୍ର ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ବର୍ତ୍ତମାନ ଇସ୍ରୋ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା କେ ଶିବନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଦାୟିତ୍ୱ ଗ୍ରହଣ କରିବେ। କେ ଶିବନଙ୍କ କାର୍ଯ୍ୟକାଳ ଆସନ୍ତା ୧୪ ତାରିଖ ଶେଷ ହେବାକୁ ଯାଉଛି। ଏହା ପରେ ଏସ୍‌ ସୋମନାଥ ଇସ୍ରୋ ମୁଖ୍ୟ ହେବେ।

ଏସ୍ ସୋମନାଥ ଜିଏସ୍‌ଏଲଭି ଏମକେ-ଆଇଆଇଆଇ ଲଞ୍ଚର୍‌ର ବିକଶିତ କରିଥିଲେ। ସେ ତାଙ୍କ କ୍ୟାରିୟର ଆରମ୍ଭ ସମୟରେ ପୋଲାର ସ୍ୟାଟେଲାଇଟ ଲଞ୍ଚ ଭେଇକିଲ(ପିଏସ୍‌ଏଲଭି) ବିକଶିତ କରିବା ପାଇଁ ଗଠିତ ଟିମ୍‌ର ନେତୃତ୍ୱ ନେଇଥିଲେ। ଏବେ ତାଙ୍କୁ କେନ୍ଦ୍ର ସରକାର ଆସନ୍ତା ୩ ବର୍ଷ ପାଇଁ ସ୍ପେଶ ବିଭାଗର ସଚିବ ଓ ସ୍ପେଶ କମଶିନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।

ଏସ୍‌ ସୋମନାଥ ୨୦୧୮ ଜାନୁଆରୀ ୨୨ରୁ ବିକ୍ରମ ସରଭାଇ ସ୍ପେଶ ସେଣ୍ଟର(ଭିଏସ୍‌ଏସ୍‌ସି)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଲଞ୍ଚ ଭେଇକିଲ ଷ୍ଟ୍ରକଚରାଲ ସିଷ୍ଟମ, ଷ୍ଟ୍ରକଚରାଲ ଡାଇନାମିକ, ମେକାନିଜିମ, ପାୟରୋ ସିଷ୍ଟମ ଓ ଲଞ୍ଚ ଭେଇକିଲ ଇଣ୍ଟିଗ୍ରେସନ ଭଳି କାର୍ଯ୍ୟକ୍ରମର ବିଶେଷଜ୍ଞ।

ଏସ୍‌ ସୋମନାଥ କୋଲ୍ଲାମରେ ଥିବା ଟିକେଏମ କଲେଜ ଅଫ ଇଞ୍ଜିନିୟରିଂରୁ ମେକାନିକାଲ ଇଞ୍ଜିନିଂରେ ଗ୍ରାଜ୍ୟୁଏଟ ହୋଇଥିଲେ। ଏହାପରେ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରୁ ସେ ଏରୋସ୍ପେଶ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ।

୧୯୮୫ରେ ସେ ଭିଏସ୍‌ଏସସିରେ ଯୋଗଦେଇଥିଲେ। ୨୦୧୦ ଜୁନରୁ ୨୦୧୪ ଯାଏ ସେ ଜିଏସଏଲଭି ଏମକେ-ଆଇଆଇଆଇର ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ଏସ୍‌ ସୋମନାଥ ଭିଏସଏସିର ଷ୍ଟ୍ରକଚର୍ସ ଏଣ୍ଟିଟି ଓ ‘Propulsion and Space Ordinance Entity’ର ଡେପୁଟି ନିର୍ଦ୍ଦେଶକ ଭାବେ ୨୦୧୪ ନଭେମ୍ବର ମାସ ଯାଏ କାର୍ଯ୍ୟ କରିଥିଲେ। ଜିଏସଏଲଭିର ସ୍ୱଦେଣୀ କ୍ରାୟୋଜେନିକ ଷ୍ଟେଜର ସଫଳ ଲଞ୍ଚ ପଛରେ ଏସ୍ ସୋମନାଥ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

Related Posts