ଉତ୍ତରଖଣ୍ଡ ନିର୍ବାଚନ: କଂଗ୍ରେସ ପକ୍ଷରୁ ଆଜି ପ୍ରକାଶ ପାଇବ ପ୍ରାର୍ଥୀ ତାଲିକା

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ଆଜି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଦଳ ପକ୍ଷରୁ ୭୦ ଜଣ ପ୍ରାର୍ଥୀଙ୍କ ନାମ ସ୍ଥିର ହୋଇଥିବା ବେଳେ, ଯେଉଁମାନେ ନିର୍ବାଚନୀ ମୈଦାନକୁ ଓହ୍ଲାହି ବାଜିମାତ ପାଇଁ ଲଢ଼ିବେ। ଶୁକ୍ରବାର କେନ୍ଦ୍ରୀୟ ନିର୍ବାଚନ କମିଟି(CEC) ବୈଠକ ପରେ ଏହି ସୂଚନା ଦିଆଯାଇଛି । ଏନେଇ ଉତ୍ତରାଖଣ୍ଡ କଂଗ୍ରେସ ପ୍ରଭାରୀ ଦେବେନ୍ଦ୍ର ଯାଦବ କହିଛନ୍ତି, ସମସ୍ତ ବିଧାନସଭା ଆସନରେ ପ୍ରାର୍ଥୀ ଚୟନ ପାଇଁ ଫଳପ୍ରଦ ଆଲୋଚନା ହୋଇଛି । ଆଜି(ଶନିବାର) ଏହି ତାଲିକା ପ୍ରକାଶ କରାଯିବ ।

ଶୁକ୍ରବାର ବିଜେପିରୁ ବହିଷ୍କୃତ ମନ୍ତ୍ରୀ ହରକ ସିଂ ରାୱତ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ କଂଗ୍ରେସ ଫେରିବା ପରେ ଉତ୍ତରାଖଣ୍ଡ କଂଗ୍ରେସ ମୁଖ୍ୟ ଗଣେଶ ଗୋଡିୟାଲ କହିଛନ୍ତି, ହରକ ସିଂ ଦଳରେ ନିଃସ୍ବାର୍ଥପର ଭାବେ ସେବା କରିବାକୁ ଚାହୁଁଛନ୍ତି ଏବଂ ସମସ୍ତେ ମଧ୍ୟ ତାଙ୍କୁ ଏହି ସୁଯୋଗ ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି । ଦଳକୁ ସୁଦୃଢ କରିବାରେ ସେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବେ ।

ଉଲ୍ଲେଖଯୋଗ୍ୟ, ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ହରାକ ସିଂ ରାୱତଙ୍କୁ ଉତ୍ତରଖଣ୍ଡର କ୍ୟାବିନେଟରୁ ବରଖାସ୍ତ କରାଯାଇଥିଲା । ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି ।ଉତ୍ତରାଖଣ୍ଡ ବିଧାନସଭା ଲାଗି ଆସନ୍ତା ଫେବୃୟାରୀ ୧୪ ତାରିଖ ଦିନ ଗୋଟିଏ ପର୍ଯ୍ଯାୟରେ ଭୋଟ ଗ୍ରହଣ ହେବ ଏବଂ ମାର୍ଚ୍ଚ ୧୦ ତାରିଖ ଗଣତି କରାଯିବ ।

Related Posts