ଉତ୍ତରପ୍ରଦେଶ: ଭୋଟରଙ୍କ ପାଇଁ ପ୍ରତିଶ୍ରୁତିର ପେଡି ଖୋଲିଲା ବିଜେପି

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ପ୍ରସ୍ତୁତି ଜୋର ଧରିଛି | ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅଂଟା ଭିଡି ଦେଇଛନ୍ତି ଦଳ | ଏହାରି ମଧ୍ୟରେ ବିଜେପି ତାର ପ୍ରତିଶ୍ରୁତି ପେଡି ଖୋଲିଛି । ନିର୍ବାଚନୀ ଇସ୍ତାହାର ଜାରି କରି ମାଳ ମାଳ ପ୍ରତିଶ୍ରୁତିରେ ଭୋଟରଙ୍କୁ ପୋତି ପକାଇଛି ଦଳ । ରାଜ୍ୟ ମୁଖ୍ୟାଳୟରେ ଘୋଷଣାପତ୍ର ଜାରି କରିଛି ବିଜେପି । ୟୁପି ବିଜେପି ନିର୍ବାଚନୀ ଇସ୍ତାହାରକୁ ଲୋକ କଲ୍ୟାଣ ସଂକଳ୍ପ ପତ୍ର ନାଁ ଦେଇଛି। ଯେଉଁଥିରେ ବିଭିନ୍ନ ପ୍ରତିଶ୍ରୁତି ପୂରଣ କରିବାକୁ କଥା ଦେଇଛି ଦଳ ।

ବିଜେପିର ଚାଣକ୍ୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଇସ୍ତାହାରପତ୍ରକୁ ସାର୍ବଜନୀନ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ। ଇସ୍ତାହାରପତ୍ରରେ ବିଜେପି ଚାଷୀଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଚେଷ୍ଟା କରିଛି।

ଦଳ ତା’ର ପ୍ରତିଶ୍ରୁତିପତ୍ରରେ ସବୁ ଚାଷୀଙ୍କୁ ଜଳ ସେଚନ ପାଇଁ ମାଗଣାରେ ବିଜୁଳି ଯୋଗାଇ ଦେବ ବୋଲି କହିଛି। ଏଥିସହ ପ୍ରତି ପରିବାରରୁ ଅତିକମରେ ଜଣଙ୍କୁ ଚାକିରି ମିଳିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛି।

ଉତ୍ତର ପ୍ରଦେଶର ଚାଷୀମାନେ ୩ କୃଷି ଆଇନକୁ ନେଇ ବିଜେପି ସରକାର ଉପରେ ଖପ୍ପା ହୋଇଛନ୍ତି। ଅବଶ୍ୟ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ହେଲେ ଚାଷୀଙ୍କ ଅସନ୍ତୋଷ ପ୍ରଶମିତ ହୋଇନାହିଁ। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ମଧ୍ୟ ୟୁପି ନିର୍ବାଚନରେ ବିଜେପିକୁ ଜବାବ ଦେବା ପାଇଁ ଚାଷୀମାନଙ୍କୁ ଆହ୍ୱାନ ଦେଇଛି। ଏସବୁ ଭିତରେ ବିଜେପି ତା’ର ନିର୍ବାଚନୀ ଇସ୍ତଫାହାର ଜରିଆରେ ଚାଷୀମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଯଥା ସମ୍ଭବ ଚେଷ୍ଟା କରିଥିବା ରାଜନୀତିକ ବିଶେଷଜ୍ଞମାନେ ମତ ରଖିଛନ୍ତି।

ଚାଷୀଙ୍କୁ ମାଗଣା ବିଜୁଳି ଓ ଚାକିରି ବ୍ୟତୀତ ବିଜେପି ପୁଣି କ୍ଷମତାକୁ ଆସିଲେ ଉତ୍ତର ପ୍ରଦେଶରେ ୬ଟି ମେଗା ଫୁଡ ମାର୍କ ପ୍ରତିଷ୍ଠା କରିବ କହିଛି। ସେହିପରି ଚିନି କଳଗୁଡ଼ିକର ନବୀକରଣ ପାଇଁ ୫ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯିବ। ଚାଷୀମାନେ ସେମାନଙ୍କ ଗହମ ଓ ଧାନ ଧାର୍ଯ୍ୟ ଏମଏସପି ଅନୁସାରେ ବିକ୍ରି କରି ଟଙ୍କା ପାଇବେ। ଏନେଇ ବିଜେପି ସରକାର ସବୁ ପ୍ରକାରର ବ୍ୟବସ୍ଥା କରିବ।

ଏହାବାଦ ହୋଲି ଓ ଦୀପାବଳି ଭଳି ପର୍ବପର୍ବାଣୀରେ ମହିଳାଙ୍କୁ ବିଜେପି କ୍ଷମତାକୁ ଆସିଲେ ମାଗଣାରେ ଏଲପିଜି ସିଲିଣ୍ଡର ପ୍ରଦାନ କରିବ। ୬୦ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ମାଗଣାରେ ସମସ୍ତ ସରକାରୀ ପରିବହନ ସେବାରେ ଯିବା ଆସିବା କରିପାରିବେ। କଲେଜରେ ପଡ଼ୁଥିବା ସମସ୍ତ ଛାତ୍ରୀଙ୍କୁ ବିଜେପି ସରକାର ମାଗଣାରେ ସ୍କୁଟି ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତିପତ୍ରରେ ଉଲ୍ଲେଖ କରାଯାଇଛି।

ରାଜ୍ୟର ମୁଣ୍ଡପିଛା ଆୟ ଦୁଇ ଗୁଣ ହେବ ବୋଲି ଶାସକ ବିଜେପି ଦମ୍ଭୋକ୍ତି କରିଛି ଓ ୧୦ ଲକ୍ଷ କୋଟିର ପୁଞ୍ଜିନିବେଶ ପାଇଁ ବ୍ୟବସ୍ଥା ହୋଇଥିବା କହିଛି। ବିଜେପି କ୍ଷମତାକୁ ଆସିଲେ ବିଧବା ଭତ୍ତା ବୃଦ୍ଧି କରିବ। ଏବେ ବିଧବା ଭତ୍ତା ବାବଦରେ ୮ଶହ ଟଙ୍କା ମିଳୁଥିବା ବେଳେ ଆଗକୁ ୧୫ ଶହ ଟଙ୍କା ଦିଆଯିବ ବୋଲି ଇସ୍ତାହାରରେ କୁହାଯାଇଛି।

ଏହି ଅବସରରେ ଶ୍ରୀ ଶାହ କହିଛନ୍ତି, “କିଛି ଦିନ ତଳେ ଅଖିଲେଶ ଯାଦବ ୨୦୧୭ରେ ଆମେ ଜାରି କରିଥିବା ସଂକଳ୍ପ ପତ୍ର କଥା ଉଠାଇଥିଲେ। ଏଥିସହ ଆମେ କ’ଣ କରିଛୁ ବୋଲି ପଚାରିଥିଲେ। ମୁଁ ଏବେ ଗର୍ବର ସହ କହିବାକୁ ଚାହୁଁଛି ଯେ ଆମର ୨୧୨ ପ୍ରତିଶ୍ରୁତି ମଧ୍ୟରୁ ଆମେ ୯୨% ପୂରଣ କରିପାରିଛୁ।”

Related Posts