ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା: ୟୁକ୍ରେନକୁ ଉଡିବ ୩ ଏୟାର ଇଣ୍ଡିଆର ଜରୁରୀ ବିମାନ

ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି | ଯୁଦ୍ଧର ଆଶଙ୍କା ବଢୁଥିବା ବେଳେ, ଆସନ୍ତା ସପ୍ତାହରୁ ଇଣ୍ଡିଆ-ୟୁକ୍ରେନ ମଧ୍ୟରେ ଉଡିବ ୩ ଜରୁରୀକାଳୀନ ବିମାନ । ଫେବ୍ରୁଆରୀ ୨୨ , ୨୪ ଏବଂ ୨୬ରେ ଜରୁରୀ ବିମାନ ସେବା ଯୋଗାଇବ ଏୟାର ଇଣ୍ଡିଆ ।

ବୋରିସ୍ପିଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଆରମ୍ଭ ହେବାକୁ ଥିବାବେଳେ ଏୟାର ଇଣ୍ଡିଆ ବୁକିଂ ୱେବସାଇଟ ମାଧ୍ୟମରେ ବୁକିଂ ସୁବିଧା ରହିଛି । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ବିଶେଷ ଭାବେ ୟୁକ୍ରେନରେ ଥିବା ଛାତ୍ରଛାତ୍ରୀଙ୍କୁ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ଏହି ବ୍ୟବସ୍ଥା କରାଯାଇଛି ।

ତେବେ ଋଷିଆ, ୟୁକ୍ରେନ ସୀମା ନିକଟରେ 1 ଲକ୍ଷରୁ ଅଧିକ ସୈନ୍ୟ ମୁତୟନ କରିବା ପରେ ଅନ୍ତର୍ଜାତୀୟ ସମୁଦାୟ ମଧ୍ୟରେ ଆକ୍ରମଣର ଭୟ ସୃଷ୍ଟି କରିଛି । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ମଧ୍ୟ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା କରିଛନ୍ତି । ସେପଟେ ୟୁକ୍ରେନ ଉପରେ ଆକ୍ରମଣ କରିବାର କୌଣସି ଉଦ୍ଦେଶ୍ୟ ନଥିବା ଋଷିଆ କହିଛି ।

ଏସବୁ ମଧ୍ୟରେ ନାଗରିକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରିଛି ଭାରତ ।

Related Posts