ସମ୍ବଲପୁର,  (ସତ୍ୟପାଠ ବ୍ୟୁରୋ): ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଜାତୀୟ ରାଜପଥ ଭିତ୍ତିଭୂମିର ବିକାଶ, ଯାତାୟାତ ବ୍ୟବସ୍ଥାରେ ସୁଧାର ଓ ସଡ଼କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି। ସମ୍ବଲପୁର-କଟକ ଏନ୍‌ଏଚ୍‌-୫୫କୁ ୬-ଲେନ୍ କରିବା ସହ ଉଭୟ ପାର୍ଶ୍ୱରେ ସର୍ଭିସ୍ ରୋଡ୍‌, ଅନୁଗୋଳ-ସମ୍ବଲପୁର ସେକ୍ସନ୍‌ରେ ୪ଟି ଅଣ୍ଡରପାସ୍‌ ଏବଂ ସମ୍ବଲପୁର ସିଟି ରେଳ ଷ୍ଟେସନ୍ ଛକରେ ଫ୍ଲାଏଓଭର ନିର୍ମାଣ ପାଇଁ ସେ ଅନୁରୋଧ କରିଛନ୍ତି। ବିଜେପି ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସିଙ୍କ ସୂଚନା ଅନୁସାରେ, ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ସମ୍ବଲପୁର-ଅନୁଗୋଳ-କଟକ କରିଡର ପଶ୍ଚିମ ଓଡ଼ିଶାକୁ ରାଜ୍ୟର ପ୍ରମୁଖ ଶିଳ୍ପ, ବାଣିଜ୍ୟିକ ଓ ସହରାଞ୍ଚଳ ସହ ଯୋଡ଼ୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ରାଜପଥ। ଏହି ରାସ୍ତାରେ ଯାତ୍ରୀବାହୀ, ମାଲବାହୀ ଓ ଶିଳ୍ପ ସମ୍ବନ୍ଧୀୟ ଯାନବାହନ ଚଳାଚଳ ବୃଦ୍ଧି ପାଉଥିବାରୁ ବର୍ତ୍ତମାନର ୪-ଲେନ୍ ରାଜପଥକୁ ୬-ଲେନ୍‌କୁ ସମ୍ପ୍ରସାରଣ କରିବା ସହ ଉଭୟ ପାର୍ଶ୍ୱରେ ଦୁଇ-ଲେନ୍ ବିଶିଷ୍ଟ ସର୍ଭିସ୍ ରୋଡ୍ ନିର୍ମାଣ କରିବାକୁ ସେ ଅନୁରୋଧ କରିଛନ୍ତି। ଏହାଦ୍ୱାରା ରାଜପଥରେ ଯାତାୟାତ ଅଧିକ ସୁଗମ ହେବା ସହ ସ୍ଥାନୀୟ ଲୋକଙ୍କ ଯାତାୟାତ ସହଜ ହେବ ଏବଂ ଦୁର୍ଘଟଣା ହ୍ରାସ ପାଇବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ସେହିପରି ଏନ୍‌ଏଚ୍‌-୫୫ର ଅନୁଗୋଳ-ସମ୍ବଲପୁର ସେକ୍ସନ୍‌ରେ ଖଣିଜ ଓ ବାଣିଜ୍ୟିକ ଯାନବାହନର ଅଧିକ ଚଳାଚଳ ଯୋଗୁଁ ସ୍ଥାନୀୟ ବାସିନ୍ଦା ଓ ପଦଚାରୀଙ୍କ ପାଇଁ ଦୁର୍ଘଟଣା ଆଶଙ୍କା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ପିଆଇୟୁ, ସମ୍ବଲପୁର ପକ୍ଷରୁ ପ୍ରସ୍ତାବିତ ଜିନ୍ଦଲ ରୋଡ୍‌, ଜରପଡ଼ା, ଜେରାଙ୍ଗ ଓ ଚାରମାଳଠାରେ ୪ଟି ଅଣ୍ଡରପାସ୍ ନିର୍ମାଣ ପାଇଁ ତୁରନ୍ତ ପ୍ରଶାସନିକ ଓ ଆର୍ଥିକ ମଞ୍ଜୁରୀ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏନ୍‌ଏଚ୍‌-୫୩ ଅନ୍ତର୍ଗତ ସମ୍ବଲପୁର ସିଟି ରେଳ ଷ୍ଟେସନ୍ ଛକରେ ପ୍ରତିଦିନ ବହୁ ସଂଖ୍ୟକ ରେଳଯାତ୍ରୀ ଜାତୀୟ ରାଜପଥ ପାର ହେଉଥିବାରୁ ଏଠାରେ ଯାତାୟାତ ସମସ୍ୟା ସୃଷ୍ଟି ହେଉଛି। ଏହି ସ୍ଥାନକୁ ସମ୍ଭାବ୍ୟ ‘ବ୍ଲାକ୍ ସ୍ପଟ୍’ ଭାବେ ଚିହ୍ନଟ କରାଯାଇଥିବା ଦର୍ଶାଇ ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ଏଠାରେ ଫ୍ଲାଏଓଭର ନିର୍ମାଣ ପ୍ରସ୍ତାବକୁ ଶୀଘ୍ର ମଞ୍ଜୁରୀ ଦେଇ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ସଡ଼କ ପରିବହନ ମନ୍ତ୍ରଣାଳୟ ଓ ଏନ୍‌ଏଚ୍‌ଏଆଇର ସମ୍ପୃକ୍ତ ଅଧିକାରୀଙ୍କୁ ଏସବୁ ପ୍ରସ୍ତାବକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଗଲେ ଓଡ଼ିଶାର ଶିଳ୍ପ, ବାଣିଜ୍ୟ ଓ ଆର୍ଥିକ ବିକାଶ ଆହୁରି ତ୍ୱରାନ୍ୱିତ ହେବ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକାଶ କରିଛନ୍ତି।