ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ବିଭିନ୍ନ ଦଳରୁ ଆସିଥିବା ବିଦ୍ରୋହୀ ସାଂସଦଙ୍କୁ ଆଶ୍ବାସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପଶ୍ଚିମବଙ୍ଗରେ ଦିଦିଙ୍କ ଗଡ଼ ଭୁଶୁଡ଼ିବା ପରେ କିଛି ବିଦ୍ରୋହୀ ସାଂସଦ ଦଳ ଛାଡ଼ି ଏନଡିଏ ମୁହାଁ ହୋଇଥିଲେ। ଏପରିକି ଉଦ୍ଧବ ଠାକରେଙ୍କ ଶିବସେନାରୁ ଇସ୍ତଫା ଦେଇ ଏନଡିଏରେ ଯୋଗଦେଇଥିଲେ। ବିଦ୍ରୋହୀ ସାଂସଦଙ୍କୁ ନେଇ ଏନଡିଏ ଏବେ ଶକ୍ତିଶାଳୀ ହୋଇଛି କହିଲେ କିଛି ଭୁଲ ହେବ ନାହିଁ। ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏର ସହଯୋଗୀ ଦଳର ସାଂସଦମାନଙ୍କ ସହ ଏକ ସ୍ୱତନ୍ତ୍ର ‘ବ୍ରେକଫାଷ୍ଟ ମିଟିଂ’ କରିଛନ୍ତି । ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରୁ ଓ ଉଦ୍ଧବ ଠାକରେଙ୍କ ଶିବସେନାରୁ ଇସ୍ତଫା ଦେଇ ଏନଡିଏରେ ଯୋଗ ଦେଇଥିବା ସାଂସଦମାନେ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ସଂସଦୀୟ କାର୍ଯ୍ୟଦକ୍ଷତା, ବିକାଶ ଓ ସଂଗଠନାତ୍ମକ ସମନ୍ୱୟ ଉପରେ ଗୁରୁତ୍ୱ ଦେଇଥିଲେ।
ମୋଦୀ ସାଂସଦମାନଙ୍କୁ କହିଥିଲେ, ‘ କାହାରି କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ, ମୁଁ ଆପଣମାନଙ୍କ ସହ ଅଛି । ଏନଡିଏ କେବଳ ଏକ ମେଣ୍ଟ ନୁହେଁ, ଏହା ଏକ ପରିବାର ।’ ଏହି ବାର୍ତ୍ତା ମାଧ୍ୟମରେ ସେ ସହଯୋଗୀ ଦଳର ସାଂସଦମାନଙ୍କ ମନୋବଳ ବଢ଼ାଇବା ସହ ଏକତାର ସନ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ସଂସଦରେ ଅଧିକ ସକ୍ରିୟ ରହିବା, ଆଲୋଚନାରେ ପ୍ରସ୍ତୁତି ସହ ଅଂଶଗ୍ରହଣ କରିବା ଏବଂ ସଂସଦୀୟ ଇତିହାସକୁ ଭଲଭାବେ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ, ସଂସଦରେ ଥିବା ଐତିହାସିକ ତଥ୍ୟ ଓ ଦସ୍ତାବିଜଗୁଡ଼ିକୁ ବ୍ୟବହାର କରି ଯୁକ୍ତି ପାଇଁ ଭଲ ପ୍ରସ୍ତୁତି କରାଯାଇପାରିବ ।
ବୈଠକରେ ପ୍ରତ୍ୟେକ ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ । ସେମାନଙ୍କ ସଂସଦୀୟ କ୍ଷେତ୍ରର ବିକାଶ କାର୍ଯ୍ୟ, ଲୋକଙ୍କ ସମସ୍ୟା ଓ ଚାଲୁଥିବା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ନେଇଥିଲେ । ବିକାଶମୂଳକ ପ୍ରକଳ୍ପରେ କୌଣସି ବାଧା ଆସିଲେ ସିଧାସଳଖ PMO ସହ ଯୋଗାଯୋଗ କରିବାକୁ ମଧ୍ୟ ସାଂସଦମାନଙ୍କୁ କହିଥିଲେ । ବୈଠକ ପରେ ପ୍ରଧାନମନ୍ତ୍ରୀ ଶିବସେନାରେ ସମ୍ପ୍ରତି ଯୋଗ ଦେଇଥିବା ୬ ଜଣ ସାଂସଦଙ୍କ ସହ ଅଲଗା ବୈଠକ କରିଥିବା ସୂଚନା ମିଳିଛି ।
