ଭୁବନେଶ୍ବର, (ସତ୍ୟପାଠ ବ୍ୟୁରୋ): ଏମଏମଡିଆର ଆଇନକୁ ନେଇ ବିଜେଡିର ବିକ୍ଷୋଭବେଳେ ଲୋକଭବନ ଆଗରେ ପୋଲିସ-କର୍ମୀ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିବା ଦେଖାଯାଇଛି। ପରବର୍ତ୍ତୀ ସମୟରେ ପରିସ୍ଥିତି ନିୟନ୍ତ୍ରଣ କରାଯାଇଥିଲା। ସଂଶୋଧିତ ଏମ୍‌ଏମ୍‌ଡିଆର୍ ଆଇନ ପ୍ରତ୍ୟାହାର ଦାବିକୁ ନେଇ ରାଜଧାନୀ ଭୁବନେଶ୍ୱରରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଶାଳ ପ୍ରତିବାଦ କରାଯାଇଛି । ଲୋକଭବନ ସମ୍ମୁଖରେ ଆୟୋଜିତ ଏହି ଆନ୍ଦୋଳନ ସମୟରେ ପୋଲିସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପାୱାର ହାଉସ୍ ଛକରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା । ସୂଚନା ଅନୁଯାୟୀ, ବିଜେଡି ପକ୍ଷରୁ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏମ୍‌ଏମ୍‌ଡିଆର୍ ଆଇନ ପ୍ରତ୍ୟାହାର ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ଲୋକଭବନ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ପୋଲିସ ପକ୍ଷରୁ କର୍ମୀମାନଙ୍କୁ ଅଟକାଯାଇଥିଲା। ଏହାକୁ ନେଇ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ରାଜଧାନୀରେ ଆୟୋଜିତ ଏହି ପ୍ରତିବାଦରେ ବିଜେଡିର ଶତାଧିକ କର୍ମୀ, ବରିଷ୍ଠ ନେତା ଓ ବିଧାୟକମାନେ ସାମିଲ ହୋଇଥିଲେ । ଦଳ ପକ୍ଷରୁ ସଂଶୋଧିତ ଏମ୍‌ଏମ୍‌ଡିଆର୍ ଆଇନକୁ “କଳା ଆଇନ” ବୋଲି ଅଭିହିତ କରାଯାଇ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ବିଜେଡି ନେତାମାନେ କହିଛନ୍ତି ଯେ, ରାଜ୍ୟର ଖଣିଜ ସମ୍ପଦ ଓ ଓଡ଼ିଶାର ସ୍ୱାର୍ଥକୁ ପ୍ରଭାବିତ କରୁଥିବା ଏହି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ସେମାନଙ୍କର ଆନ୍ଦୋଳନ ଜାରି ରହିବ। ପୋଲିସ ବ୍ୟାରିକେଡ୍ ଭାଙ୍ଗି ଲୋକଭବନକୁ ଅଗ୍ରସର ହେବାକୁ ବିକ୍ଷୋଭକାରୀ ଉଦ୍ୟମ କରିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ ସେମାନଙ୍କୁ ଅଟକାଇଥିଲା । ଏହା ପରେ ପାୱାର ହାଉସ୍ ଛକରେ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା । ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ବିଜେଡିର ଏକ ପ୍ରତିନିଧି ଦଳକୁ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଅନୁମତି ମିଳିଥିଲା । ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଏମ୍‌ଏମ୍‌ଡିଆର୍ ଆଇନକୁ ପୁନଃବିଚାର କରି ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ ।