ବାଲିଗୁଡ଼ା(ସତ୍ୟପାଠବ୍ୟୁରୋ):  କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ରେ ବ୍ୟାପକ ଅର୍ଥ ହରିଲୁଟ ଅଭିଯୋଗରେ ୨ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ। ବିନା କାମରେ ଫୋଲସ୍ ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ। ଗିରଫ ଯନ୍ତ୍ରୀ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ ପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା। କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଧରାକୋଟ ପଂଚାୟତରେ ବ୍ୟାପକ ଅର୍ଥ ଲୁଟ୍ ହୋଇଥିବା ନେଇ ଅଭିଯୋଗ ଆସିଥିଲା। ଅଭିଯୋଗ ମିଳିବା ପରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଏବଂ ଏକ ବୈଷୟିକ ଟିମ୍ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ପ୍ରାୟ ୩ ଥର ତଦନ୍ତ ପରେ ଏହି ଯୋଜନାରେ ବିଭିନ୍ନ କାମରେ ଅର୍ଥ ହରିଲୁଟ୍ ହୋଇଥିବା ସ୍ପଷ୍ଟ ହୋଇଥିଲା । ବିଭିନ୍ନ କାର୍ଯ୍ୟ କରା ନ ଯାଇ ମ୍ୟାଟେରିଆଲ ବାବଦରେ ୩୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ୍ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହି ଘଟଣାରେ ଜିଲ୍ଲାପାଳ ବେଦଭୂଷଣ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପଞ୍ଚାୟତ ନିର୍ବାହୀ  ଅଧିକାରୀ ସୁତନ୍ୟ ମହାକୁଡ ଓ ସହକାରୀ ଉନ୍ନୟନ ଅଧିକାରୀ କାଂଶିରାମ ଦିଗାଲଙ୍କୁ  ନିଲମ୍ବିତ କରିଥିଲେ। ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଚିଠିରେ ସୁପାରିଶ କରିଥଲେ। ଆଜି ୨ ଯନ୍ତ୍ରୀଙ୍କୁ ଫୁଲବାଣୀ ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି।