ସମ୍ବଲପୁର(ସତ୍ୟପାଠବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ନେଇ  ସମ୍ବଲପୁର ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ସମ୍ବଲପୁର ଜିଲ୍ଲାପାଳ ଏବଂ ଏସ୍.ପି.ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l ଗୃହମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ବ୍ୟବସ୍ଥା, ବିଦ୍ୟୁତ୍, ପାନୀୟ ଜଳ, ସ୍ୱଚ୍ଛତା ଏବଂ କାର୍ଯ୍ୟକ୍ରମ ସ୍ଥଳର ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା l ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ସମସ୍ତ ବିଭାଗକୁ ସମନ୍ୱୟ ରଖି ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ  ସମ୍ବଲପୁର ର ସୁରକ୍ଷାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ଏବଂ ସମସ୍ତ ସମ୍ବେଦନଶୀଳ ସ୍ଥାନରେ ପୋଲିସ ମୁତୟନ ସୁନିଶ୍ଚିତ କରିବାକୁ କହିଛନ୍ତି l ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସ୍.ପି., ଉପ-ଜିଲ୍ଲାପାଳ, ସିଡିଏମଓ, ଆରଟିଓ, ପୂର୍ତ ବିଭାଗ, ବିଦ୍ୟୁତ୍ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ l