ଓମିକ୍ରନ୍‌ ଭୟ: ୯୪ ବିଦେଶୀ ଫେରନ୍ତା ଙ୍କ ମିଳୁନି ପତ୍ତା

ଓମିକ୍ରନ୍‌ ଭାରିଆଣ୍ଟ୍‌ କୁ ନେଇ ଦେଖାଦେଇଥିବା ଭୟର ବାତାବରଣ ମଧ୍ୟରେ ପୁଣି ଆଉ ଏକ ଚିନ୍ତା ଘାରିଲାଣି । ଗତକାଲି ଓଡ଼ିଶାରେ ଦୁଇ ଓମିକ୍ରନ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି। ପ୍ରତ୍ୟେକ ବିଦେଶ ଫେରନ୍ତାଙ୍କ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଇତିମଧ୍ୟରେ ଜିଲ୍ଲାକୁ ୩୨୬ ଜଣ ବିଦେଶରୁ ଆସିଥିବା ଜଣାପଡ଼ିଛି। ଏମାନେ ଭାରତ ସରକାରଙ୍କ ଦ୍ବାରା ଧାର୍ଯ୍ୟ ‘ହାଇ ରିସ୍କ୍‌’ ଦେଶ, ଯଥା- ସିଙ୍ଗାପୁର, ଇସ୍ରାଏଲ, ୟୁକେ, ବ୍ରାଜିଲ, ଚୀନ, ଦକ୍ଷିଣ ଆଫ୍ରିକା ବୋସୱାନା, ମରିସସ, ନ୍ୟୁଜିଲାଣ୍ଡ, ହଂକଂ, ଜିମ୍ବାୱେ ଆଦି ଦେଶରୁ ଆସିନାହାନ୍ତି। ଏମାନେ ମୁଖ୍ୟତଃ ଆମେରିକା, ଆୟର୍ଲାଣ୍ଡ୍‌, ଦୁବାଇ, ଜର୍ମାନୀ ଆଦି ଦେଶରୁ ଆସିଛନ୍ତି।

ତେବେ ଏମାନଙ୍କ ମଧ୍ୟରୁ ୪୪ ଜଣ ଇତିମଧ୍ୟରେ ନିଜ ନିଜ କର୍ମକ୍ଷେତ୍ରକୁ ଫେରିସାରିଲେଣି। ଏବେ ଜିଲ୍ଲାରେ ମୋଟ୍‌ ୨୮୨ ଜଣ ବିଦେଶ ଫେରନ୍ତା ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୮୮ ଜଣଙ୍କର ସ୍ବାବ୍‌ ନମୁନା ସଂଗୃହୀତ ହୋଇ ପରୀକ୍ଷା କରାଯାଇ ସାରିଲାଣି। କେବଳ ଦୁଇ ଜଣଙ୍କ ବ୍ୟତିତ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି। ତେବେ ଏଯାବତ୍‌ ବଳକା ୯୪ ଜଣ ବିଦେଶ ଫେରନ୍ତାଙ୍କ ପତ୍ତା ମିଳିପାରୁନି। ଏମାନେ ନିଜର ଭୁଲ୍‌ ଠିକଣା, ଫୋନ ନମ୍ବର ଦେଇଥିବାରୁ କଣ୍ଟାକ୍ଟ ଟ୍ରେସିଂ ସଂମ୍ଭବପର ହୋଇପାରୁନି।

Related Posts