ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ୟୁପି ରାଜନୀତିରେ ନୂଆ ମୋଡ଼। ଅସଦୁଦ୍ଦିନ ଓୱେସିଙ୍କ AIMIM ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟି (କାଂଶୀରାମ) ହାତ ମିଳାଇ ଗଠନ କରିଛନ୍ତି ନୂଆ ରାଜନୈତିକ ମେଣ୍ଟ। ଏହି ମେଣ୍ଟର ନାଁ ରଖାଯାଇଛି ‘ସାମାଜିକ ପରିବର୍ତ୍ତନ ମୋର୍ଚ୍ଚା’। ତେବେ ଏହି ନୂଆ ମେଣ୍ଟର ରାଜନୈତିକ ପ୍ରଭାବ କେବଳ ବିଜେପି ଉପରେ ନୁହେଁ, ବରଂ ସମାଜବାଦୀ ପାର୍ଟି ଏବଂ ଅଖିଳେଶ ଯାଦବଙ୍କ ରାଜନୈତିକ ସମୀକରଣ ଉପରେ ମଧ୍ୟ ପଡ଼ିପାରେ।
ନଭେମ୍ବର ୧୨ ତାରିଖରେ ଲକ୍ଷ୍ନୌରେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଉଭୟ ନେତା ଏହି ମେଣ୍ଟ ଘୋଷଣା କରିଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଉଛି, ଆଗାମୀ ନିର୍ବାଚନରେ ଚନ୍ଦ୍ରଶେଖର ଆଜାଦଙ୍କୁ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ଓୱେସି। ରାଜ୍ୟର ସମସ୍ତ ୪୦୩ଟି ବିଧାନସଭା ଆସନରେ ମେଣ୍ଟ ନିର୍ବାଚନ ଲଢ଼ିବାକୁ ଯୋଜନା ରଖିଛି।
ଏହି ମେଣ୍ଟର ମୁଖ୍ୟ ଲକ୍ଷ୍ୟ ହେଉଛି ଦଳିତ ଓ ମୁସଲିମ୍ ଭୋଟରଙ୍କୁ ଏକାଠି କରିବା। ବିଭିନ୍ନ ଆକଳନ ଅନୁସାରେ, ଉତ୍ତରପ୍ରଦେଶର ଜନସଂଖ୍ୟାରେ ଦଳିତଙ୍କ ଅଂଶ ପ୍ରାୟ ୨୧ ପ୍ରତିଶତ ଏବଂ ମୁସଲିମ୍ ସମ୍ପ୍ରଦାୟର ଅଂଶ ପ୍ରାୟ ୧୯ ପ୍ରତିଶତ। ଏହା ସହିତ ପଛୁଆ ବର୍ଗ ଓ ଅନ୍ୟ ଅବହେଳିତ ସମ୍ପ୍ରଦାୟକୁ ମଧ୍ୟ ନିଜ ସହ ଯୋଡ଼ିବାକୁ ମେଣ୍ଟ ଲକ୍ଷ୍ୟ ରଖିଛି।
ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ନୂଆ ମେଣ୍ଟ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ କି? କାରଣ ଉତ୍ତରପ୍ରଦେଶରେ ମୁସଲିମ୍ ଓ ଦଳିତ ଭୋଟ୍ ଉପରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର ମଧ୍ୟ ରାଜନୈତିକ ନଜର ରହିଛି। ଓୱେସି ପୂର୍ବରୁ ସମାଜବାଦୀ ପାର୍ଟି ସହ ମେଣ୍ଟ ପାଇଁ ଆଗ୍ରହ ଦେଖାଇଥିଲେ। କିନ୍ତୁ ଅଖିଳେଶଙ୍କ ଦଳ ସହ ସେହି ଆଲୋଚନା ଆଗକୁ ବଢ଼ିନଥିଲା। ଶେଷରେ ଓୱେସି ଚନ୍ଦ୍ରଶେଖର ଆଜାଦଙ୍କ ସହ ମେଣ୍ଟ କରିଛନ୍ତି।
ଅନ୍ୟପଟେ, ନୂଆ ମେଣ୍ଟ ଗଠନ କରିଥିଲେ ମଧ୍ୟ ଓୱେସି ଏବଂ ଆଜାଦ ବିରୋଧୀ ଦଳଗୁଡ଼ିକ ପାଇଁ ଦ୍ୱାର ଖୋଲା ରଖିଛନ୍ତି। ବିଜେପିକୁ ଉତ୍ତରପ୍ରଦେଶରେ ପୁଣି କ୍ଷମତାକୁ ଆସିବାରୁ ରୋକିବାକୁ ଚାହୁଁଥିବା ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟ ଏହି ମୋର୍ଚ୍ଚାରେ ସାମିଲ ହୋଇପାରିବେ ବୋଲି ସେମାନେ କହିଛନ୍ତି।
ତେବେ ନିର୍ବାଚନୀ ତଥ୍ୟ ଦେଖିଲେ, ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ AIMIM ୯୫ଟି ଆସନରେ ପ୍ରାର୍ଥୀ ଦେଇ ପ୍ରାୟ ୦.୪୯ ପ୍ରତିଶତ ଭୋଟ୍ ପାଇଥିଲା। ଆଜାଦ ସମାଜ ପାର୍ଟି ମଧ୍ୟ ୧୦୦ରୁ ଅଧିକ ଆସନରେ ଲଢ଼ି ପ୍ରାୟ ୦.୧୩ ପ୍ରତିଶତ ଭୋଟ୍ ପାଇଥିଲା। ତେଣୁ ଏହି ଦୁଇ ଦଳ ଏକାଠି ହେବା ପରେ ସେମାନଙ୍କ ଭୋଟ୍ ଆଧାର କେତେ ବଢ଼ିବ, ତାହା ଆଗାମୀ ନିର୍ବାଚନରେ ହିଁ ସ୍ପଷ୍ଟ ହେବ।
ଏବେ ନଭେମ୍ବର ୨୬ ତାରିଖରେ ଲକ୍ଷ୍ନୌରେ ଏକ ବଡ଼ ସାଧାରଣ ସଭା କରିବାକୁ ମେଣ୍ଟ ଘୋଷଣା କରିଛି। ସେଠାରେ ମେଣ୍ଟର ଆଗାମୀ ରଣନୀତି ଓ ନିର୍ବାଚନୀ କାର୍ଯ୍ୟକ୍ରମ ଉପରେ ଅଧିକ ସ୍ପଷ୍ଟତା ଆସିପାରେ।
ତେଣୁ ୨୦୨୭ର ଉତ୍ତରପ୍ରଦେଶ ନିର୍ବାଚନରେ ଏହି ନୂଆ ମେଣ୍ଟ କେତେ ପ୍ରଭାବ ପକାଇବ? ଅଖିଳେଶ ଯାଦବଙ୍କ ବିରୋଧୀ ମେଣ୍ଟର ଭୋଟ୍ ସମୀକରଣରେ କି ପରିବର୍ତ୍ତନ ଆଣିବ? ଏବଂ ଦଳିତ-ମୁସଲିମ୍ ଏକତାର ଏହି ରାଜନୈତିକ ପ୍ରୟାସ ଭୋଟ୍ରେ କେତେ ପ୍ରତିଫଳିତ ହେବ? ଏସବୁ ଉପରେ ଏବେ ରହିଛି ଦେଶର ରାଜନୈତିକ ମହଲର ନଜର।
