ସୁନ୍ଦରଗଡ଼, (ସତ୍ୟପାଠ ବ୍ୟୁରୋ): ସୁନ୍ଦରଗଡ଼ ବନଖଣ୍ଡ ବଡ଼ଗାଁ ବନାଞ୍ଚଳ ମହାବୀର ପାହାଡ଼ ପାଦଦେଶ କଡ଼ୋପଡ଼ା ନିକଟରେ ଆଜି ସକାଳେ ୨୫ଟିକିଆ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଛି। ରାତିରେ ଗାଁ ପାଖ ବିଲରେ ଥିବାବେଳେ ସକାଳୁ ପାହାଡ଼ମୁହାଁ ହୋଇଥିବା ଜଣାପଡ଼ିଛି। ଖବର ପାଇ ବନବିଭାଗର ଏକ ଦଳ ସେଠାକୁ ପହଞ୍ଚି ହାତୀପଲର ଗତିବିଧି ଉପରେ ନଜର ରଖିଛନ୍ତି। ସବୁଯାକ ଛତିଶଗଡ଼ି ଓ ଝାଡ଼ଖଣ୍ଡି ହାତୀ ଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏଥିରେ ଛୁଆ ହାତୀ ଥିବାରୁ ମା’ ହାତୀ ସ୍ବାଭାବିକ ଭାବେ ହିଂସ୍ର ଥିବା ଅନୁମାନ କରାଯାଉଛି। ଝାଡ଼ଖଣ୍ଡି ଅତି ଉଗ୍ର ଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସତର୍କ ରହିବା ସହ ହାତୀପଲ ନିକଟକୁ ନ ଯିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାସହ ସେମାନଙ୍କ ଉପରେ ବନ ବିଭାଗ ପକ୍ଷରୁ ତୀକ୍ଷଣ ନଜର ରଖÒଥିବା ବେଳେ ହାତୀପଲ ବର୍ତ୍ତମାନ ଜଙ୍ଗଲ ଭିତରକୁ ଚାଲିଯାଇଥିବା ସୂଚନା ମିଳିଛି। ହେଲେ ହାତୀପଲ ଗଁା ଭିତରକୁ ପଶିଆସିବେ ସେହି ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇ ରହିଛନ୍ତି। ହାତୀ ଭୟରେ କେହି ବାହାରକୁ ବାହାରୁ ନଥିବା େଦଖିବାକୁ ମିଳିଛି। ସମସ୍ତେ ଘରର ତାଟି-କବାଟ ବନ୍ଦ କରି ରହୁଛନ୍ତି। ଫଳରେ ଗଁା ଏକ ପ୍ରକାର ଜନଶୂନ୍ୟ େହାଇପଡ଼ିଛି।
