କେନ୍ଦ୍ର କୋଇଲା ଓ ଶ୍ରମମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ହାଇପାଓ୍ୱାର କମିଟି ଓ କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ

ଭୁବନେଶ୍ୱର : କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପୃଥକ ପୃଥକ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହାଇ ପାଓ୍ୱାର କମିଟି ଓ କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ କଡ଼ାକଡ଼ି ପାଳନ ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି । ଅନୁଗୋଳ ଜିଲ୍ଲା ନାଲକୋର କୋଇଲା ଖଣିରେ ନିୟୋଜିତ ଠିକା ଶ୍ରମିକଙ୍କ ମଜୁରୀ ଓ ଅନ୍ୟାନ୍ୟ ସୁବିଧା ସୁନିଶ୍ଚିତ କରିବାକୁ ଉଭୟ ମନ୍ତ୍ରୀଙ୍କୁ ପତ୍ର ଜରିଆରେ ନିବେଦନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଠିକା ଶ୍ରମିକ – ୧୯୭୦ ଅଧିନିୟମ ଧାରା ୧୦ ଅନୁସାରେ କୋଇଲା ବିକ୍ରି, କୋଇଲା ଲୋଡିଂ ଏବଂ ଅନଲୋଡିଂ, ଓଭରବୋର୍ଡ ଅପସାରଣରେ ଠିକା ଶ୍ରମିକ ନିୟୋଜନ ନିଷେଧ ଅଟେ । କିନ୍ତୁ ସେହି ଅଧିନିୟମର ଧାରା ୩୧ରେ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଏବଂ ପ୍ରତିବନ୍ଧକ ଅନୁଯାୟୀ ବିଶେଷ କ୍ଷେତ୍ରରେ ଅବ୍ୟାହତି ପ୍ରଦାନ କରାଯାଇପାରେ । ଅନୁଗୋଳ ଜିଲ୍ଲାରେ କୋଇଲା ଖଣିରେ ନିୟୋଜିତ ଅନେକ ଶିଳ୍ପାନୁଷ୍ଠାନ ଏହି ସୁବିଧା ମାଧ୍ୟମରେ ଠିକା ଶ୍ରମିକ ନିୟୋଜିତ କରୁଛନ୍ତି। କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡ ମଧ୍ୟ ଉତ୍କଳ ଡ଼ି ଏବଂ ଇ କୋଲ୍ ବ୍ଲକ ପାଇଁ ନିୟୋଜିତ ନାଲକୋର ପ୍ରତିନିଧି, ଏମଡ଼ିଓଙ୍କ ସହ ଅନେକ ଥର ବୈଠକ କରିଛନ୍ତି। କୋଇଲା ଖଣିରେ ନିୟୋଜିତ ଠିକା ଶ୍ରମିକଙ୍କୁ ଠିକାଦାରଙ୍କ ଦ୍ୱାରା କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡର ପରାମର୍ଶନୁସାରେ ପାରିଶ୍ରମିକ ଓ ଅନ୍ୟାନ୍ୟ ସୁବିଧା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଉଭୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ।

Related Posts