କରୋନା ପ୍ରଭାବ: ସ୍ଥଗିତ ହେଲା ରଣଜୀ ଟ୍ରଫି: ବିସିସିଆଇ

ପୁଣି ଥରେ ଦେଶରେ ଉପର ମୁହା ହୋଇଛି କରୋନାର ଦୈନିକ ସଂକ୍ରମଣ। ହୁ ହୁ ହୋଇ ବଢ଼ିଚାଲିଛି । ବଢ଼ୁଥିବା ସଂକ୍ରମଣ କୁ ଦେଖି ବିଭିନ୍ନ ରାଜ୍ୟରେ ପୁଣି ଥରେ ଲାଗିଲାଣି କଟକଣା । ଆଉ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଚଳିତବର୍ଷ ପାଇଁ ରଣଜୀ ଟ୍ରଫିକୁ ସ୍ଥଗିତ ରଖାଯାଇଛି ।

ତେବେ ଚଳିତ ବର୍ଷ ଜାନୁଆରୀ ୧୩ ତାରିଖରୁ ରଣଜୀ ଟ୍ରଫି ଆରମ୍ଭ ହେବାର ଥିଲା । ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଏହି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳାଯିବାର ଥିଲା । କିନ୍ତୁ ସାରା ଦେଶରେ କରୋନା କାୟା ମେଲାଉଥିବା ବେଳେ, ବଢୁଥିବା ସଂକ୍ରମଣକୁ ନଜରରେ ରଖି ରଣଜୀ ଟ୍ରଫିକୁ ଚଳିତବର୍ଷ ପାଇଁ ସ୍ଥଗିତ କରିଛି ବିସିସିଆଇ । ତେବେ ରଣଜୀ ଟ୍ରଫି ସମେତ, ୨୦୨୧-୨୨ ବର୍ଷ ପାଇଁ ହେବାକୁ ଥିବା ସି.କେ ନାୟୁଡୁ ଟ୍ରଫି ଏବଂ ସିନିୟର ମହିଳା ଟି-୨୦ ଲିଗକୁ ମଧ୍ୟ ସ୍ଥଗିତ ରଖାଯାଇଛି ।

ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ବିସିସିଆଇ ଖେଳାଳୀ, ସହାୟକ କର୍ମଚାରୀ ଓ ମ୍ୟାଚ ଅଫିସିଆଲଙ୍କ ସୁରକ୍ଷା ସହ ସାଲିସ କରିବାକୁ ଚାହୁଁନାହିଁ । ଏଣୁ ରଣଜୀ ଟ୍ରଫି, ସିକେ ନାଇଡୁ ଟ୍ରଫି ଓ ସିନିଅର ମହିଳା ଟି୨୦ ଲିଗକୁ ସ୍ଥଗିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବୋର୍ଡ ସ୍ଥିତି ଉପରେ ନଜର ରଖିଛି, ସ୍ଥିତିରେ ସୁଧାର ଆସିଲେ ଏସବୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯିବ ।

Related Posts