ବେଙ୍ଗାଲୁରୁ : କର୍ଣ୍ଣାଟକ କଂଗ୍ରେସ ସରକାର ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ। ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ନେତା ଆର. ଅଶୋକ। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଦାବି କରିଛନ୍ତି ଯେ, କଂଗ୍ରେସ ସରକାର ବେଙ୍ଗାଲୁରୁର କଠିନ ବର୍ଜ୍ୟବସ୍ତୁ ପରିଚାଳନା ନାମରେ ପ୍ରାୟ ୩୬,୦୦୦ କୋଟି ଟଙ୍କାର ବଡ଼ ଘୋଟାଲା କରିଛନ୍ତି। ଏହି ଦୀର୍ଘକାଳୀନ ଚୁକ୍ତିକୁ ବ୍ଲାକଲିଷ୍ଟେଡ୍ ହୋଇଥିବା ”ରାମକି” କମ୍ପାନିକୁ ଟେଣ୍ଡର ଆକାରରେ ଦିଆଯାଇଛି। ଅଶୋକଙ୍କ କହିବା ଅନୁଯାୟୀ, ଆର୍ଥିକ ଜାଲିଆତି ଯୋଗୁଁ ବିଶ୍ୱବ୍ୟାଙ୍କ ଏବଂ ୨୦୧୬ରେ ବେଙ୍ଗାଲୁରୁ ମହାନଗର ନିଗମ ଦ୍ୱାରା ବ୍ୟାନ୍ ହୋଇଥିବା ଏହି ସଂସ୍ଥାକୁ ୩୦ ବର୍ଷ ପାଇଁ ଟେଣ୍ଡର ଦିଆଯିବା ସହ ୧,୫୦୦ କୋଟିର ଋଣ ନେବାକୁ ଅନୁମତି ଦିଆଯାଇଛି। ଏହି ମେଗା ଡିଲରେ ପ୍ରାୟ ୧୦,୦୦୦ କୋଟି ଟଙ୍କାର ଲାଞ୍ଚ ନିଆଯାଇଥିବା ସେ ସିଧାସଳଖ ଅଭିଯୋଗ କରିବା ସହ ତୁରନ୍ତ ଏହି ଟେଣ୍ଡର ପ୍ରତ୍ୟାହାର କରିବାକୁ ଏବଂ ଘଟଣାର ସିବିଆଇ ତଦନ୍ତ କରିବାକୁ ଦୃଢ଼ ଦାବି କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ପୂର୍ବ ବ୍ୟବସ୍ଥାରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବାର୍ଷିକ ସମୁଦାୟ ୧୩୪୪ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ, ଏହି ନୂଆ ଚୁକ୍ତି ଅଧୀନରେ କେବଳ ବର୍ଜ୍ୟ ପ୍ରକ୍ରିୟାକରଣ ପାଇଁ ସରକାର ଆଗାମୀ ୩୦ ବର୍ଷରେ ୩୯,୪୩୭ କୋଟି ଟଙ୍କା ପ୍ରଦାନ କରିବେ। ଯାହା ରାଜ୍ୟ କୋଷାଗାର ଉପରେ ପ୍ରାୟ ୩୩,୦୦୦ କୋଟିର ଅତିରିକ୍ତ ଆର୍ଥିକ ବୋଝ ପକାଇବ। ବିଜେପି ଏହି ସମସ୍ତ ଦୁର୍ନୀତିର ଦସ୍ତାବିଜ୍ ରାଜ୍ୟପାଳଙ୍କୁ ଦେବା ସହ ଲୋକାୟୁକ୍ତଙ୍କ ନିକଟରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାୟର କରିଛି।
