କର୍ଣ୍ଣାଟକ ପରେ ଏବେ ପୁଡୁଚେରୀରେ ହିଜାବ ବିବାଦ: ବୁର୍ଖା କିମ୍ବା ହିଜାବ ପିନ୍ଧି ସ୍କୁଲ ନ ଆସିବାକୁ କହିଲେ ପ୍ରିନ୍ସିପାଲ

କର୍ଣ୍ଣାଟକାରେ ଏବେ ହିଜାବ ବିବାଦ ଉଗ୍ର ରୂପ ଧାରଣ କରିଥିବା ବେଳେ, ଏହାରି ମଧ୍ୟରେ ଏବେ ପଡ଼ୋଶୀ ପୁଡୁଚେରୀରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ | ମୁସଲିମ ଛାତ୍ରୀଙ୍କୁ ହିଜାବ ବା ବୁର୍ଖା ପିନ୍ଧି ସ୍କୁଲ ନ ଆସିବାକୁ ପ୍ରିନ୍ସିପାଲ ନିଦେଶ ଦେଇଥିବା ସୂଚନା ମିଳିଛି |

ଏହାକୁ ବିରୋଧ କରି କିଛି ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ଶିକ୍ଷା ନିର୍ଦ୍ଦେଶକ ପିଟି ରୁଦ୍ର ଗୌଡାଙ୍କୁ ଘଟଣା ତଦନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ଆର୍ଯ୍ୟନକୁପ୍ପାମ ସରକାରୀ ସ୍କୁଲ ମୁଖ୍ୟଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ବି ଦିଆଯାଇଛି।

ସ୍କୁଲକୁ ହିଜାବ ଓ ବୁର୍ଖା ପିନ୍ଧି ଯାଉଥିବା ୯ମ ଶ୍ରେଶୀର ଛାତ୍ରୀଙ୍କ ବାପା ଇକବାଲ ବାଶା କହିଛନ୍ତି, “ବୁର୍ଖା ଖୋଲି କେବଳ ହିଜାବରେ ମୋ ଝିଅ କ୍ଲାସରେ ପାଠପଢ଼ିବ ବୋଲି ଅନୁମତି ପାଇଥିଲା। ହେଲେ ଫେବୃଆରୀ ୪ରେ ସ୍କୁଲ ଖୋଲିବା ମାତ୍ରେ ସ୍କୁଲ ପ୍ରିନ୍ସିପାଲ ହିଜାବ ଓ ବୁର୍ଖା ଉଭୟକୁ ବିରୋଧ କରିଥିଲେ। ଏହି ସ୍କୁଲରେ ମୋ ଝିଅ ପ୍ରଥମ ଶ୍ରେଣୀରୁ ପଢ଼ୁଛି। ସବୁବେଳେ ସେ ହିଜାବ ପିନ୍ଧି ସ୍କୁଲ ଯାଏ। କିନ୍ତୁ କିଛି ମାସ ହେଲା ଏହାକୁ ବିରୋଧ କରାଯାଉଛି।”

କେବଳ ପୁଡୁଚେରୀ ନୁହେଁ, ମଧ୍ୟପ୍ରଦେଶରେ ମଧ୍ୟ କର୍ଣ୍ଣାଟକାର ପଦଧ୍ୱନୀ ଶୁଣିବାକୁ ମିଳିଛି। ଏଠାକାର ବିଭିନ୍ନ କଲେଜ ଓ ସ୍କୁଲରେ ହିଜାବକୁ ବିରୋଧ କରିବା ପାଇଁ ଗୁପ୍ତ ଭାବେ ଯୋଜନା ଆରମ୍ଭ ହୋଇଛି। ଖୁବଶୀଘ୍ର ଏଠାରେ ମଧ୍ୟ ହିଜାବ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି।

ସୂଚନାଯୋଗ୍ୟ, ଗତ ମାସରେ ପ୍ରଥମେ କର୍ଣ୍ଣାଟକାର ଉଡୁପି ସ୍ଥିତ ଗାର୍ଲ୍ସ ପିୟୁ କଲେଜରୁଚ ହିଜାବ ବିବାଦ ଆରମ୍ଭ ହୋଇଥିଲା। ଏଠାରେ ପାଠପଢ଼ୁଥିବା ୬ ଜଣ ମୁସଲିମ ଛାତ୍ରୀ ହିଜାବ ପିନ୍ଧିଥିବାରୁ ସେମାନଙ୍କୁ କ୍ଲାସ କରିବାକୁ ଅନୁମତି ମିଳୁ ନଥିବା ଅଭିଯୋଗ କରିଥିଲେ। ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧୁଥିବାରୁ ଏହାକୁ ଦକ୍ଷିଣପନ୍ଥୀ ଶିକ୍ଷାର୍ଥୀମାନେ ଜୋରଦାର ବିରୋଧ କରୁଛନ୍ତି।

ଉଡୁପିରୁ ଆରମ୍ଭ ହୋଇଥିବା ଏହି ବିବାଦ କର୍ଣ୍ଣାଟକାର ବିଭିନ୍ନ କଲେଜରେ ପହଞ୍ଚିଲାଣି। ସେଠାରେ ମଧ୍ୟ ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ କଲେଜ କ୍ୟାମ୍ପସ ଓ କ୍ଲାସରେ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ। ହିଜାବକୁ ବିରୋଧ କରି ଦକ୍ଷିଣ ପନ୍ଥୀର ଶିକ୍ଷାର୍ଥୀମାନେ ବେକର ଗେରୁଆ ସ୍କାର୍ଭ ଓ ମୁଣ୍ଡରେ ପଗଡ଼ି ବାନ୍ଧି କଲେଜକୁ ଆସୁଛନ୍ତି। ଏହାକୁ ନେଇ ଦିନକୁ ଦିନ ବିବାଦ ବଢ଼ୁଥିବାରୁ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଆସନ୍ତା ୩ ଦିନ ପାଇଁ ରାଜ୍ୟର ସମସ୍ତ କଲେଜ ଓ ସ୍କୁଲକୁ ବନ୍ଦ କରିଛନ୍ତି। ସେହିପରି କର୍ଣ୍ଣାଟକା ହାଇକୋର୍ଟ ଛାତ୍ରଛାତ୍ରୀମାନଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିଛନ୍ତି |

Related Posts