ଭବନୀପାଟଣା, (ସତ୍ୟପାଠବ୍ୟୁରୋ ): ଗାଁକୁ ପକ୍କା ରାସ୍ତା ଖଣ୍ଡିଏ ନଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ। ଲଗାଣ ବର୍ଷାରେ ମାଟି ରାସ୍ତା କାଦୁଅ ପଚ ପଚ ହୋଇଥିବାବେଳେ ଖଟିଆରେ ବୁହା ହେଲା ମୃତଦେହ। ସବୁଠାରୁ ବିଡ଼ମ୍ବନାର ବିଷୟ ଗୋଟେ କି ୨ କିମି ନୁହେଁ ୮ କିମି କାଦୁଅ ରାସ୍ତାରେ ଖଟିଆରେ ବୁହାହେଲା ମୃତଦେହ। ଆମ୍ବୁଲାନ୍ସ ଆସିଲା, ହେଲେ ଗାଁକୁ ପହଞ୍ଚି ପାରିଲାନି । ଶେଷରେ ୮ କିଲୋମିଟର କାଦୁଅ ରାସ୍ତାରେ ଖଟିଆରେ ବୁହାହେଲା ଦାଦନ ଶ୍ରମିକଙ୍କ ମୃତଦେହ । କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତର ଭାଟିଫାସ ଗାଁରୁ ସାମ୍ନାକୁ ଆସିଛି ରାସ୍ତାଘାଟର ଶୋଚନୀୟ ଚିତ୍ର। ଭାଟିଫାସ ଗାଁର ଶିବ ମାଝୀ ପରିବାର ପୋଷଣ ପାଇଁ ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ପରେ ମୃତଦେହ ଗାଁକୁ ଅଣାଯାଇଥିଲା। ମୃତଦେହ ନେଇ ଆମ୍ବୁଲାନ୍ସ ଗାଁ ଅଭିମୁଖେ ଆସିଥିଲେ ମଧ୍ୟ ଦୁରେଶପଦର ନିକଟ ଡୁମୁଣିନାଲା ପାଖରେ ଆଣ୍ଠୁଏ କାଦୁଅ ଯୋଗୁଁ ଆଉ ଆଗକୁ ଯାଇପାରିନଥିଲା। ଫଳରେ ରାତିସାରା ନାଳ ପାଖରେ ମୃତଦେହକୁ ଜଗି ରହିଥିଲେ ପରିବାର ଓ ଗାଁ ଲୋକେ। ପରଦିନ ସକାଳେ ଗ୍ରାମବାସୀ ମୃତଦେହକୁ ଖଟିଆରେ ବୋହି ପ୍ରାୟ ୮ କିଲୋମିଟର କାଦୁଅ ରାସ୍ତା ଦେଇ ଗାଁକୁ ନେଇଥିଲେ। ପରେ ଗାଁ ଶ୍ମଶାନରେ ଶିବ ମାଝୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାସ୍ତା ଅଭାବରୁ ଗ୍ରାମବାସୀଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଗାଁକୁ ଭଲ ରାସ୍ତା ନିର୍ମାଣ ସହ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।
