ମାଲକାନଗିରି (ସତ୍ୟପାଠବ୍ୟୁରୋ): ଶେଷରେ ଧରା ପଡ଼ିଲା ହଂସ ଖିଆ କୁମ୍ଭୀର। ୩ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ବନ ବିଭାଗ ପକ୍ଷରୁ କୁମ୍ଭୀରକୁ ଉଦ୍ଧାର କରାଯାଇଛି।
ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ଅନ୍ତର୍ଗତ ଚିତାପାରି-୩ ପଞ୍ଚାୟତର ଏମଭି-୧୦୪ ଗାଁରେ ପୋଖରୀରେ ପଶିଥିବା କୁମ୍ଭୀରକୁ ଆଜି ବନ ବିଭାଗ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗତ ୩ ଦିନ ଧରି ବନ ବିଭାଗର ରେସ୍କ୍ୟୁ ଟିମ୍ ପୋଖରୀରେ ଜାଲ ପକାଇ କୁମ୍ଭୀରକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଶେଷରେ ଆଜି ସଫଳତା ମିଳିଛି।
ସୂଚନା ଅନୁଯାୟୀ, ଗାଁର ମହାନନ୍ଦ ମଣ୍ଡଳଙ୍କ ପୋଖରୀରେ ଏକ କୁମ୍ଭୀର ଥିବା ଜଣାପଡ଼ିବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ଏହାପରେ ବନ ବିଭାଗ ଟିମ୍ ପହଞ୍ଚି କୁମ୍ଭୀରକୁ ଧରିବା ପାଇଁ ଉଦ୍ୟମ କରିଥିଲା। ହେଲେ ପ୍ରଥମ ଦିନରେ କୁମ୍ଭୀର ଧରା ପଡ଼ିନଥିଲା। ୩ ଦିନର ରେସ୍କ୍ୟୁ ଅପରେସନ ପରେ ବନ ବିଭାଗକୁ ସଫଳତା ମିଳିଛି। କୁମ୍ଭୀରଟି ଜାଲରେ ପଡିଛି। ଉଦ୍ଧାର ହୋଇଥିବା କୁମ୍ଭୀରର ଲମ୍ବ ପ୍ରାୟ ୪ ଫୁଟ ହୋଇଥିବା ବେଳେ ଏହାର ବୟସ ପ୍ରାୟ ଅଢ଼େଇ ବର୍ଷ ବୋଲି ଜଣାପଡ଼ିଛି। ଏହା ବଉଳା ପ୍ରଜାତିର କୁମ୍ଭୀର ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ମହାନନ୍ଦଙ୍କ ଅଭିଯୋଗ ଅନୁଯାୟୀ, କୁମ୍ଭୀରଟି ପୋଖରୀରେ ଥିବା ୯୦ରୁ ଅଧିକ ହଂସ ସମେତ ବହୁ ମାଛ ଖାଇ ଦେଇଥିଲା। ପୋଖରୀ ନିକଟରେ ଥିବା ନାଳ ପୋଟେରୁ ନଦୀ ସହ ସଂଯୋଗ ଥିବାରୁ ନଦୀରୁ କୁମ୍ଭୀରଟି ଖାଦ୍ୟ ଅନ୍ୱେଷଣରେ ପୋଖରୀକୁ ଆସିଥିବା ଅନୁମାନ କରାଯାଉଛି। ତେବେ ଉଦ୍ଧାର ପରେ କୁମ୍ଭୀରର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ପରୀକ୍ଷା ପରେ ଏହାକୁ ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଜଳଭଣ୍ଡାରରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
