ନୂଆଦିଲ୍ଲୀ, (ସତ୍ୟପାଠ ବ୍ୟୁରୋ) : ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନକୁ ନେଇ କକରୋଚ୍ ଜନତା ପାର୍ଟି ବା ସିଜେପିର ନେତା ସୌରଭ ଦାସ, ଆଶୁତୋଷ ରାଙ୍କା ଏବଂ ଅଜିଙ୍କ୍ୟ ଶିନ୍ଦେଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ୫ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏହାପରେ ସେମାନଙ୍କୁ ତିହାର ଜେଲ୍କୁ ପଠାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ସୌରଭ ଦାସ, ଆଶୁତୋଷ ରାଙ୍କା ଓ ଅଜିଙ୍କ୍ୟ ଶିନ୍ଦେ ପୋଲିସ ବ୍ୟାରିକେଡ୍ ପାର୍ କରି ଜନ୍ତରମନ୍ତର ଅଞ୍ଚଳକୁ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା। ସେଠାରେ ସେମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସ୍ଲୋଗାନ୍ ଦେଇଥିଲେ। ଏହାପରେ ଦିଲ୍ଲୀ ପୋଲିସ ସେମାନଙ୍କୁ ହେପାଜତକୁ ନେଇଥିଲା।
ବୁଧବାର ସକାଳ ପ୍ରାୟ ୮ଟା ସମୟରେ ତିନି ନେତାଙ୍କୁ ଦିଲ୍ଲୀର ମନ୍ଦିର ମାର୍ଗ ଅଞ୍ଚଳରେ ଥିବା ଜଣେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା। ଶୁଣାଣି ପରେ ସେମାନଙ୍କୁ ୫ ଦିନିଆ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ ସମ୍ପୃକ୍ତ ନେତାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ୫୦ ହଜାର ଟଙ୍କାର ବଣ୍ଡ ଦାଖଲ କରିବା ସହ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଶାନ୍ତି ଭଙ୍ଗ କରିବା ଭଳି କୌଣସି ଘଟଣାରେ ସାମିଲ ନହେବା ସର୍ତ୍ତରେ ସେମାନଙ୍କୁ ପୂର୍ବରୁ ଛାଡ଼ି ଦିଆଯାଇଥିଲା। କିନ୍ତୁ ଏଥର ବିନା ଅନୁମତିରେ ପ୍ରତିବାଦସ୍ଥଳକୁ ପ୍ରବେଶ, ପୂର୍ବ ବଣ୍ଡର ସର୍ତ୍ତ ଉଲ୍ଲଂଘନ ଏବଂ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ଭଳି ଅଭିଯୋଗ ସେମାନଙ୍କ ବିରୋଧରେ ଲଗାଯାଇଛି। ସିଜେପିର ଆଇନ ବିଭାଗ ମୁଖ୍ୟ ରତ୍ନା ସିଂହ ସୋସିଆଲ୍ ମିଡିଆରେ ଅଭିଯୋଗ କରିଥିଲେ ଯେ, ସୌରଭ, ଆଶୁତୋଷ ଏବଂ ଅଜିଙ୍କ୍ୟଙ୍କୁ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ଗିରଫ କରାଯାଇଥିଲା। ସେମାନଙ୍କ ବିରୋଧରେ ବିନା ଅନୁମତିରେ ପ୍ରବେଶ, ବଣ୍ଡ ସର୍ତ୍ତ ଉଲ୍ଲଂଘନ ଓ ସରକାରୀ ଅଧିକାରୀଙ୍କ କାମରେ ବାଧା ଦେବା ଭଳି ଅଭିଯୋଗ ଲାଗିଛି। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବହୁ ସମୟ ପର୍ଯ୍ୟନ୍ତ ଗିରଫ ନେତାମାନଙ୍କୁ ନିଜ ଓକିଲଙ୍କ ସହ ଦେଖା କରିବାକୁ ଦିଆଯାଇନଥିଲା।
ଅନ୍ୟପଟେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଥିବା ବେଳେ CJP ଓ ଅନ୍ୟ କିଛି ସଂଗଠନ ଭୋଟର ତାଲିକାର ‘ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍’ ବା ଏସଆଇଆରରେ କଥିତ ଅନିୟମିତତାକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି। ଅକ୍ଟୋବର ୧୧ରେ ଦିଲ୍ଲୀ ପୋଲିସ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶରେ ରାମଲୀଳା ମୈଦାନ, ବୁରାଡ଼ି ଗ୍ରାଉଣ୍ଡ ଏବଂ ସିବିଡି ଗ୍ରାଉଣ୍ଡକୁ ପ୍ରତିବାଦ ପାଇଁ ନିର୍ଦ୍ଧାରିତ ସ୍ଥାନ ଭାବେ ଚିହ୍ନଟ କରାଯାଇଥିଲା। ଏହି ତାଲିକାରୁ ଜନ୍ତରମନ୍ତରକୁ ବାଦ୍ ଦିଆଯାଇଥିବାରୁ ସେଠାରେ ବିକ୍ଷୋଭକୁ ନେଇ ପୋଲିସ ଓ ପ୍ରତିବାଦକାରୀଙ୍କ ମଧ୍ୟରେ ବିବାଦ ଆହୁରି ତୀବ୍ର ହୋଇଛି।
