କୋଭିଡ ଆଣିଲା ଦରିଦ୍ରତା, ବିଶ୍ବବ୍ୟାପୀ ୫୦ କୋଟି ଲୋକ ଦାରିଦ୍ର୍ୟର ଶିକାର !

କୋଭିଡ ଆଣିଦେଇଛି ଦରିଦ୍ରତା | ବିଶ୍ବ ଅର୍ଥନୀତିରେ ଏହାର ଗଭୀର ପ୍ରଭାବ ପଡିଛି | ମହାମାରୀ କେବଳ ବିଶ୍ବବାସୀଙ୍କ ପ୍ରାଣହାନୀ କରିନି ତା ସହ ଲୋକଙ୍କ ଅର୍ଥନୈତିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି | କୋଭିଡ ସମୟରେ ଅର୍ଥନୀତି ପ୍ରଭାବିତ ହେବାକୁ ନେଇ ଉଦବେଗଜନକ ତଥ୍ୟ ଆଣିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ବିଶ୍ବ ବ୍ୟାଙ୍କ । ବିଶ୍ବ ଅର୍ଥନୀତିର ପ୍ରାୟ ୨ ଦଶନ୍ଧିର ବିକାଶର ହାରକୁ ପ୍ରଭାବିତ କରିଛି କୋଭିଡ ମହାମାରୀ।

ଏହି ପରିସଂଖ୍ୟାନକୁ ହିସାବକୁ ନେଲେ ସମଗ୍ର ବିଶ୍ବରେ ପ୍ରାୟ ଅଧା ବିଲିୟନ ଲୋକସଂଖ୍ୟା ତଥା ପ୍ରାୟ ୫୦ କୋଟି ଲୋକ ପୁଣି ଥରେ ଦାରିଦ୍ର ସୀମାରେଖା ତଳକୁ ଖସିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ, ସାରା ବିଶ୍ବର କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢିକରଣ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି । ଫଳରେ ଅନ୍ୟାନ୍ୟ ଭିତ୍ତିଭୂମି ସମ୍ପର୍କିତ କାର୍ଯ୍ୟ ପ୍ରଭାବିତ ହୋଇଛି । ସ୍ବାସ୍ଥ୍ୟସେବା ସମ୍ପର୍କିତ ଖର୍ଚ୍ଚ ପାଇଁ ବ୍ୟକ୍ତିଗତ ଆୟର ପ୍ରାୟ ୧୦ ପ୍ରତିଶତ ବା ପରିବାରର ହାଉସହୋଲ୍ଡ ବଜେଟର ପ୍ରାୟ ୧୦ ପ୍ରତିଶତ ଖର୍ଚ୍ଚ କରିବା ପାଇଁ ଲୋକେ ବାଧ୍ୟ ହୋଇଛନ୍ତି ।

ସେହିପରି କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନରେ ଲୋକେ କର୍ମସଂସ୍ଥାନ ଓ ନିଯୁକ୍ତି ହରାଇ ବେରୋଜଗାର ହୋଇଛନ୍ତି । ଯାହା ବିଶେଷ ଭାବେ ଅର୍ଥନୀତିକୁ ପ୍ରଭାବି କରିଛି । ୧୯୩୦ ପରେ ସବୁଠୁ ବଡ ଆର୍ଥିକ ସଂଙ୍କଟ ଏହି ମହାମାରୀ ସମୟରେ ଦେଖିବାକୁ ମିଳିଛି ବୋଲି ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ଥିତି ସୁଧୁରି ନଥିବାବେଳେ କେବେ ଅର୍ଥନୀତି ସମ୍ପୂର୍ଣ୍ଣ ସ୍ବାଭାବିକ ହେଉଛି ତାକୁ ଅପେକ୍ଷା ।

Related Posts