ବାତ୍ୟା ‘ଜୱାଦ’ ନଷ୍ଟ କରିଦେଲା ୫.୭୮ଲକ୍ଷରୁ ଊର୍ଦ୍ଧ୍ବ ହେକ୍ଟର ଫସଲ

କରୋନା ସଙ୍କଟ ମଧ୍ୟରେ ରାଜ୍ୟରେ ବାତ୍ୟାର ବିପଦ ଚାଷୀର ମେରୁଦଣ୍ଡକୁ ଭାଙ୍ଗି ଦଉଛି | ବାତ୍ୟା ‘ଜୱାଦ’ର ବିପଦ ଟଳି ଯାଇଥିଲେ ହେଁ ପ୍ରବଳ ବର୍ଷା ଯୋଗୁଁ ଚଳିତମାସ ୫ ଓ ୬ ତାରିଖରେ ୧୨ଟି ଜିଲାର ୧୩୧ଟି ବ୍ଲକରେ ୫.୭୮ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ କରିଦେଇଛି |

ଗତ ଦୁଇଦିନ ଧରି କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କ ଆଖି ଦେଖା ଆକଳନ ଅନୁଯାୟୀ ଏହି ତଥ୍ୟ ମିଳିଥିବାବେଳେ ଏହାର କ୍ଷୟକ୍ଷତି ପରିମାଣ ଆଗକୁ ବଢ଼ିବ ବୋଲି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାଯାଇଛି। ବୈଠକର ସୂଚନା ଅନୁଯାୟୀ, ଜୱାଦ’ ବାତ୍ୟାର କ୍ଷୟକ୍ଷତି ଆକଳନ ଲାଗି ସ୍ବରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମସଚିବ ସୌରଭ ରାୟଙ୍କ ନେତୃତ୍ବରେ ଏକ ୬ଜଣିଆ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିଥିଲେ। ଏହି ପ୍ରତିନିଧି ଦଳ ଗତ ଦୁଇଦିନ ମଧ୍ୟରେ ତିନୋଟି ଭାଗରେ ବିଭକ୍ତ ହୋଇ ଗଞ୍ଜାମ, ଭଦ୍ରକ, ପୁରୀ, କଟକ, ବାଲେଶ୍ବର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ, ଯାଜପୁର, ମୟୂରଭଞ୍ଜ ପ୍ରଭୃତି ଜିଲା ଗସ୍ତ କରିଥିଲେ। କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କ ଆଖି ଦେଖା ବିବରଣୀ ଅନୁଯାୟୀ ଏହିସବୁ ଜିଲାର ୧୩୧ଟି ବ୍ଲକରେ ‘ଜୱାଦ’ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରାଥମିକ ଆକଳନ ଅନୁଯାୟୀ ୫.୭୮ ଲକ୍ଷ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଛି। ତୃଣମୂଳସ୍ତରରେ ଏହାର ବାସ୍ତବ ଆକଳନ କରାଯାଉଛି। ଆଉ କିଛିଦିନ ପରେ ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରାଯିବ। ବୈଠକରେ ଶ୍ରୀ ରାୟ କହିଥିଲେ ଯେ, ରାଜ୍ୟରେ ‘ଜୱାଦ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି। ଚାଷୀମାନଙ୍କୁ ଫସଲଜନିତ କ୍ଷୟକ୍ଷତି ସହାୟତା ତୁରନ୍ତ ଯୋଗାଇବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।

Related Posts