ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ଭାରତ-ଆମେରିକା ମଧ୍ୟରେ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିକୁ ନେଇ ବଡ଼ ବୟାନ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର। ଜୟଶଙ୍କର ଆଶା ପ୍ରକାଶ କରିଛନ୍ତି ଯେ, ଏହି ଚୁକ୍ତି ଏକ ବଡ଼ ପଦକ୍ଷେପ ଏବଂ ଏଥିରେ ଭାରତ ପାଇଁ ବହୁତ ସମ୍ଭାବନା ରହିଛି ଓ ଏହା ଲାଭଦାୟକ ସାବ୍ୟସ୍ତ ହେବ। କୌଟିଲ୍ୟ ଅର୍ଥନୈତିକ ସମ୍ମିଳନୀରେ ଯୋଗଦେଇ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ବାଣିଜ୍ୟ ବ୍ୟବସ୍ଥାର ସମସ୍ତ ସମସ୍ୟା ପାଇଁ କେବଳ ଆମେରିକାକୁ ଦାୟୀ କରାଯାଇପାରିବ ନାହିଁ। ବିଭିନ୍ନ ଦେଶ ଓ ବଜାରରେ ମଧ୍ୟ ଅନେକ ସମସ୍ୟା ଓ ଅସମତୁଲତା ରହିଛି। ତେଣୁ ଏହାକୁ ନିରପେକ୍ଷ ଭାବେ ବିଚାର କରିବା ଆବଶ୍ୟକ। ଆମେରିକା ବିଶ୍ୱର ସବୁଠାରୁ ବଡ଼ ତଥା ଲାଭଜନକ ବଜାର ମଧ୍ୟରୁ ଅନ୍ୟତମ। ତେଣୁ ଏହି ବଜାରରେ ଭାରତୀୟ ସାମଗ୍ରୀ ପାଇଁ ଅଧିକ ସୁଯୋଗ ସୃଷ୍ଟି ହେଲେ ଦେଶର ଅର୍ଥନୀତିକୁ ଏହା ବଡ଼ ଲାଭ ଦେଇପାରିବ। ଭାରତର ଆମେରିକା ସହ ସମ୍ପର୍କ କେବଳ ବାଣିଜ୍ୟରେ ସୀମିତ ନୁହେଁ। ଆମେରିକା ଭାରତର ଏକ ପ୍ରମୁଖ ଅର୍ଥନୈତିକ, ବାଣିଜ୍ୟିକ ଓ ପ୍ରତିରକ୍ଷା ସହଯୋଗୀ ବୋଲି ଜୟଶଙ୍କର କହିଛନ୍ତି। ଏହାସହିତ ୟୁରୋପୀୟ ସଂଘ, ବ୍ରିଟେନ୍ ଓ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହ ଭାରତର ହୋଇଥିବା ଚୁକ୍ତି ଦେଶର ବାଣିଜ୍ୟିକ ସମ୍ପର୍କକୁ ଆହୁରି ସନ୍ତୁଳିତ କରିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଭାରତ ଚୀନ୍‌, ରୁଷିଆ ଓ ଉପସାଗରୀୟ ଦେଶଗୁଡ଼ିକ ସହ ମଧ୍ୟ ସମ୍ପର୍କକୁ ମଜଭୁତ କରୁଛି। ବିଭିନ୍ନ ଦେଶ ସହ ସମ୍ପର୍କକୁ ନିଜ ସ୍ୱାର୍ଥ ଓ ସୁଯୋଗ ଅନୁଯାୟୀ ଆଗକୁ ବଢ଼ାଇବା ଭାରତର ନୀତି ଅଟେ ବୋଲି ବୈଦେଶିକ ମନ୍ତ୍ରୀ ସଭାରେ କହିଛନ୍ତି। ଅନ୍ୟପକ୍ଷରେ, ବିଶ୍ୱର ଯେକୌଣସି ସ୍ଥାନରେ ସାଧାରଣ ଲୋକଙ୍କ ଜାହାଜ ଉପରେ ଆକ୍ରମଣକୁ ଭାରତ ସମ୍ପୂର୍ଣ୍ଣ ଭାବେ ଅଗ୍ରହଣୀୟ ମନେ କରେ ବୋଲି ଜୟଶଙ୍କର କହିଥିବା ବେଳେ ରୁଷ-ୟୁକ୍ରେନ୍ ଯୁଦ୍ଧର ସମାଧାନ ପାଇଁ ଆଲୋଚନା ଓ କୂଟନୀତି ହିଁ ଆଗକୁ ବଢ଼ିବାର ରାସ୍ତା ବୋଲି ସେ ମତ ଦେଇଛନ୍ତି।