ୱାଶିଂଟନ, (ସତ୍ୟପାଠବ୍ୟୁରୋ): ଆତଙ୍କବାଦୀ ଷଡଯନ୍ତ୍ର ଭୟରେ ଆମେରିକା ବଡ଼ ପଦକ୍ଷେପ ନେଇଛି। ଏହିକ୍ରମେ ବ୍ରିଟେନର ଆରଏଏଫ ଫେୟାରଫୋର୍ଡ ବାୟୁସେନା ଘାଟିରୁ ଆମେରିକା ସମସ୍ତ ବୋମାବର୍ଷୀ ବିମାନ ହଟାଇଛି। ଇରାନ ଉପରେ ଆକ୍ରମଣ କରିବା ପାଇଁ ଏହି ବାୟୁସେନା ଘାଟିର ବ୍ୟବହାର କରାଯାଉଥିଲା। ଏହି ଘାଟି ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ତଦନ୍ତ ମଧ୍ୟରେ ଆମେରିକାର ଏଭଳି ନିଷ୍ପତ୍ତି ନେଇଛି। ଏନେଇ ପେଣ୍ଟାଗନର ଅଧିକାରୀଙ୍କ ଅନୁଯାୟୀ ବୋମାବର୍ଷୀ ବିମାନଗୁଡ଼ିକୁ ଆମେରିକାରେ ଥିବା ସେମାନଙ୍କ ଘାଟିକୁ ଫେରାଇ ଅଣାଯାଇଛି। ବି-୫୨ ଏବଂ ବି-୧ ବୋମାବର୍ଷୀ ବିମାନଗୁଡ଼ିକ ଆମେରିକା ମୁହାଁ ହୋଇଥିବା ମିଲିଟାରୀ ଏୟାର ଟ୍ରାକିଂ ଆଲାଏନ୍ସ କହିଛି। ଆରଏଏଫ ଫେୟାରଫୋର୍ଡ ଲଣ୍ଡନରୁ ପ୍ରାୟ ୧୬୦ କିଲୋମିଟର ପଶ୍ଚିମରେ ଅବସ୍ଥିତ ଓ ଆମେରିକା ଦଶନ୍ଧି ଧରି ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଏହି ଏୟାରବେସ୍ ବ୍ୟବହାର କରିଆସୁଛି। ଗତ ସପ୍ତାହରେ ଲଣ୍ଡନରେ ଏକ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିବା ସନ୍ଦେହରେ ବ୍ରିଟିଶ-ଇରାନ ଦ୍ୱୈତ ନାଗରିକତା ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ସେପ୍ଟେମ୍ବର ଶେଷ ଭାଗରେ ଆରଏଏଫ ଫେୟାରଫୋର୍ଡ ବାୟୁସେନା ଘାଟିରେ ସୁରକ୍ଷା ସମ୍ପର୍କିତ ମାମଲା ସନ୍ଦେହରେ ଛଅ ଜଣଙ୍କୁ ଅଟକ ରଖାଯାଇଥିଲା। ତେବେ ପରେ ସେମାନେ ଜାମିନରେ ମୁକ୍ତ ହୋଇଥିଲେ। ଅନ୍ୟପଟେ ବ୍ରିଟିଶ ଅଧିକାରୀମାନେ ଏହି ଘଟଣାରେ ଇରାନର ସମ୍ପୃକ୍ତି ଥିବା ସନ୍ଦେହ କରୁଥିବା ବେଳେ ଇରାନ କିନ୍ତୁ ସମ୍ପୃକ୍ତିକୁ ଅସ୍ୱୀକାର କରିଛି। ଏହାରି ମଧ୍ୟରେ ଜଣାପଡିଛି ଯେ, ଆମେରିକା ମଧ୍ୟପ୍ରାଚ୍ୟରେ ତାର ସାମରିକ ଶକ୍ତି ବୃଦ୍ଧି କରୁଛି। ୟୁଏସଏସ ଥିଓଡୋର ରୁଜଭେଲ୍ଟ ବିମାନ ବାହକ ଏବଂ ୟୁଏସଏସ ମାକିନ୍ ଦ୍ୱୀପର ନେତୃତ୍ୱରେ ଯୁଦ୍ଧଜାହାଜର ଏକ ଟିମ ଏହି ଅଞ୍ଚଳକୁ ପଠାଇଛି। ଏହି ଦଳରେ ୭ ହଜାରରୁ ଅଧିକ ନାବିକ ଏବଂ ୨ ହଜାର ମେରାଇନ୍ ଅଛନ୍ତି। ଅକ୍ଟୋବର ଶେଷ ସୁଦ୍ଧା ୩ଟି ଆମେରିକୀୟ ବିମାନ ବାହକ ମଧ୍ୟପ୍ରାଚ୍ୟରେ ନିୟୋଜିତ ହେବାର ଯୋଜନା ରହିଛି।
