ଖବର ସଂଗ୍ରହ କରିବାକୁ ଯାଇ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଆଖି ବୁଜିଲେ କାର୍ଯ୍ୟରତ ସାମ୍ବାଦିକ

ଖବର ସଂଗ୍ରହ କରିବାକୁ ଯାଇ ଖବର ପାଲଟି ଗଲେ କାର୍ଯ୍ୟରତ ସାମ୍ବାଦିକ | ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଆଖି ବୁଜିଛନ୍ତି ଯୁବ ସାମ୍ବାଦିକ । ଏଭଳି ଆଜି ଏକ ହୃଦୟ ବିଦରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାର ମାଓ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରେ । ମୃତକ ହେଲେ ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ।

ରୋହିତ ଏକ ଦୈନିକ ଖବରକାଗଜରେ ରିପୋର୍ଟର ଭାବେ କାମ କରୁଥିଲେ ।

କରଲାଖୁଣ୍ଟା ବ୍ରିଜରେ ନକ୍ସଲଙ୍କ ପୋଷ୍ଟର ଲାଗିଥିବା ଖବର ପାଇ ରୋହିତ ଆଜି ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିଲେ। ପୋଷ୍ଟରଟି ଏକ ଗଛରେ ଲାଗିଥିବା ବେଳେ ତଥ୍ୟ ସଂଗ୍ରହ ପାଇଁ ରୋହିତ ଉକ୍ତ ଗଛ ନିକଟକୁ ଯାଇଥିଲେ। ତେବେ ହଠାତ୍‌ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ହିଁ ଛିଟିକି ପଡ଼ିଥିଲେ ରୋହିତ। ତାଙ୍କ ମୁହଁ ଓ ହାତ ଗୋଡ଼ ତଥା ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ସହ ଆହତ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ରୋହିତ । ଘଟଣାସ୍ଥଳକୁ ବର୍ତ୍ତମାନ ସିଆରପିଏଫ ଓ ପୁଲିସ୍‌ ଛାଉଣୀ କରାଯାଇଛି ।

ମାଓବାଦୀ ମାନେ ଆଜି ଏହି ସ୍ଥାନରେ ଭୋଟ ବର୍ଜନ କରିବାକୁ ପୋଷ୍ଟର ମାରିଥିଲେ । ଏଠି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଥିବା ପୁଲିସ୍‌ ସିଆରପିଏଫ କ୍ୟାମ୍ପକୁ ତୁରନ୍ତ ଉଠାଇବା ସେମାନେ ଦାବି କରିଛନ୍ତି । ଏଥିସହ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଆହ୍ଵାନ ମଧ୍ୟ ଦେଇଛନ୍ତି। ଏହି ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେକେବିଏନ ଡିଭିଜନ ବୋଲି ଉଲ୍ଲେଖ ରହିଛି ।

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ସାମ୍ବାଦିକ ପ୍ରାଣ ହରାଇବା କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଘଟଣା। ଏପରି ଘଟଣା ପରେ ନକ୍ସଲଙ୍କ ଖବର ସଂଗ୍ରହ କରିବାକୁ ଯିବା ନିମନ୍ତେ ଚିନ୍ତିତ ହୋଇ ପଡ଼ିଛନ୍ତି ସାମ୍ବାଦିକ ।

Related Posts