ସମ୍ବଲପୁର(ସତ୍ୟପାଠବ୍ୟୁରୋ): ଗୁରୁବାର ହୀରାକୁଦରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଦିନ ୧୧ଟାରେ ୪ଟି ଗେଟ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ସମୟରେ ଅଧିକ ଗେଟ୍ ଖୋଲି ୧ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ପାଣି ଛଡ଼ାଯିବ। ତେବେ ଜଳ ଛଡ଼ାଯିବା ପୂର୍ବରୁ ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ଓଡ଼ିଶା ଓ ଛତିଶଗଡ ଅଧିକାରୀଙ୍କ ମଧ୍ୟରେ ହୋଇଛି ବଡ଼ ବୈଠକ। ହୀରାକୁଦର ଜଳଭଣ୍ଡାରରର ଜଳସ୍ତର ୬୧୧ ଫୁଟ ଟପିବା ପରେ ଗେଟ୍ ଖୋଲିବାକୁ ହୋଇଛି ନିଷ୍ପତ୍ତି। କାଲି ପ୍ରଥମେ ୪ଟି ଗେଟ୍ ଖୋଲି ଛଡ଼ାଯିବ ବନ୍ୟାଜଳ। ପାଣି ଛଡ଼ାଯିବା ପରେ ମହାନଦୀର ତଳମୁଣ୍ଡରେ ବଢ଼ିବ ଜଳପ୍ରବାହ ବଢ଼ିବ। ୧୦ରୁ ଅଧିକ ଜିଲ୍ଲା ଦେଇ ମହାନଦୀ ପ୍ରବାହିତ ହେଉଥିବାରୁ, ତଳିଆ ଅଂଚଳର ଲୋକଙ୍କୁ ପ୍ରଶାସନ କରିଛି ସତର୍କ ।
ବନ୍ୟା ଜଳ ଛାଡ଼ିବା ପୂର୍ବରୁ ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ହୋଇଛି ବଡ଼ ବୈଠକ। କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ ସମ୍ବଲପୁରରେ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ। ବନ୍ୟା ପରିଚାଳନା ଏବଂ ଜଳଭଣ୍ଡାରର ଫଳପ୍ରଦ ପରିଚାଳନା ପାଇଁ ଜଳସ୍ତର ଓ ଜଳନିଷ୍କାସନ ତଥ୍ୟର ଆଦାନ-ପ୍ରଦାନ ନେଇ ଆଲୋଚନା ହୋଇଛି। କିନ୍ତୁ ବିଡମ୍ବନାର ବିଷୟ ଛତିଶଗଡ଼ ସରାଡିହି ଓ ସିଓରୀନାରାୟଣ ବ୍ୟାରେଜ୍ର ଜଳନିଷ୍କାସନ ନେଇ ସଠିକ୍ ତଥ୍ୟ ଦେଉ ନଥିବା ଜଣାପଡ଼ିଛି। ଏହାକୁ ନେଇ ବୈଠକରେ ଆପତ୍ତି ଉଠାଇଛି ଓଡ଼ିଶା। ଛତିଶଗଡ଼ ବ୍ୟାରେଜଗୁଡ଼ିକର ଜଳସ୍ତର, ଜଳ ନିଷ୍କାସନର ସଠିକ୍ ତଥ୍ୟ ଦେବାକୁ ଦାବି ରଖିଛି ଓଡ଼ିଶା। ଅନ୍ୟପଟେ ପ୍ରତି ୩ଘଣ୍ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ଜଳ ପ୍ରବେଶ ଏବଂ ଜଳ ନିଷ୍କାସନ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବାକୁ ସହମତି ଜଣାଇଛି।
ବର୍ତ୍ତମାନ ହୀରାକୁଦରେ ୬୧୧.୨୩ ଫୁଟ୍ ଜଳ ଅଛି। ହୀରାକୁଦକୁ ୨ ଲକ୍ଷ ୬୨ହଜାର କ୍ୟୁସେକ୍ ପାଣି ଇନ୍ ଫ୍ଲୋ ହେଉଛି। ଗତ ରାତିରେ ମୁଣ୍ଡଳୀରେ ୫ ଲକ୍ଷ ୫୪ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା। ଏବେ ୪ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ତେଣୁ ତଳ ମୁଣ୍ଡରେ ବନ୍ୟା ସମ୍ଭାବନା ନଥିବା ସ୍ପଷ୍ଟ କରିଛି ଜଳସମ୍ପଦ ବିଭାଗ।
