ଇଂଲଣ୍ଡ(ସତ୍ୟପାଠ): ସର୍ବିୟା ତାରକା ନୋଭାକ ଜୋକୋଭିକ୍‌ ଅଲ୍‌ ଇଂଲଣ୍ଡ କ୍ଲବ୍‌ରେ ପୁଣି ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରିକ୍ୱାର୍ଟରଫାଇନାଲ୍‌ ବିଜୟ ପରେ ୱିମ୍ବଲଡନ୍‌ରେ ସର୍ବାଧିକ ମ୍ୟାଚ୍‌ ଜିତିବାର ରେକର୍ଡ କରିଥିବା ଏହି ୨୪ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ଲଗାତାର ଏଠାରେ ଅଷ୍ଟମ ଥର ଲାଗି ସେମିଫାଇନାଲ୍‌ ପହଞ୍ଚିବାରେ ପ୍ରଥମ ପୁରୁଷ ଖେଳାଳି ହୋଇଛନ୍ତି । ବୁଧବାର କଡ଼ା ସଂଘର୍ଷପୂର୍ଣ୍ଣ କ୍ୱାର୍ଟରଫାଇନାଲ୍‌ରେ ୩୯ ବର୍ଷୀୟ ଜୋକୋଭିକ୍‌ ୭-୬ (୧୨-୧୦), ୩-୬, ୬-୩, ୬-୭ (୪-୭), ୭-୬ (୧୦-୪)ସେଟ୍‌ରେ କାନାଡାର ଫେଲିକ୍ସ ଅଗର-ଅଲିଆସି‌ମେଙ୍କୁ ହରାଇଥିଲେ । ତୃତୀୟ ମାନ୍ୟତାପ୍ରାପ୍ତ ଫେଲିକ୍ସଙ୍କୁ ହରାଇବାକୁ  ଜୋକୋଭିକଙ୍କୁ ୫ ଘଣ୍ଟା ୧୫ ମିନିଟ୍ ସମୟ ଲାଗିଥିଲା । ଏହା ୱିମ୍ବଲଡନ ଇତିହାସର ସବୁଠାରୁ ଲମ୍ବା କ୍ୱାର୍ଟରଫାଇନାଲ୍‌ ମାନ୍ୟତା ପାଇଥିଲା । ନିଜର ରେକର୍ଡ ୨୫ତମ ଗ୍ରାଣ୍ଡ ସ୍ଲାମ୍‌ ଦିଗରେ ଆଉ ଗୋଟିଏ ପାଦ ବଢ଼ାଇଥିବା ଜୋକୋଭିକ୍‌ ସେମିଫାଇନାଲ୍‌ରେ ବିଜେତା ଜାନିକ ସିନ୍ନରଙ୍କୁ ଭେଟିବେ । ବିଶ୍ୱର ଏକ ନମ୍ବର ଇଟାଲି ଖେଳାଳି ସିନ୍ନର ଅନ୍ୟଏକ କ୍ୱାର୍ଟରଫାଇନାଲ୍‌ରେ ଜର୍ମାନୀ ଭେଟେରାନ୍‌ ଜାନ୍‌-ଲେନାର୍ଡ ଷ୍ଟ୍ରଫ୍‌ଙ୍କୁ ସିଧାସଳଖ ୭-୫, ୭-୬, ୬-୩ ସେଟ୍‌ରେ ମାତ୍‌ ଦେଇଥିଲେ ।