ଗାନ୍ଧୀଙ୍କୁ ଗାଳି ଦେବା ମାମଲାରେ ଗିରଫ ହିନ୍ଦୁ ସନ୍ଥ କାଳୀଚରଣ ମହାରାଜଙ୍କୁ ମିଳିଲା ଜାମିନ୍

ଜାମିନ ରେ ଆସିଲେ ହିନ୍ଦୁ ସନ୍ଥ କାଳୀଚରଣ ମହାରାଜ | ମହାତ୍ମା ଗାନ୍ଧୀଙ୍କୁ ଗାଳି ଦେବା ମାମଲାରେ ଗିରଫ ହୋଇଥିବା ସନ୍ଥ କାଳୀଚରଣ ମହାରାଜଙ୍କୁ ଜାମିନ ମିଳିଛି | ଶୁକ୍ରବାର ପୁଣେ କୋର୍ଟରୁ ଜାମିନ ପାଇଛନ୍ତି କାଳୀଚରଣ । ରାୟପୁରରେ ଅନୁଷ୍ଠିତ ଧର୍ମ ସଂସଦରେ ଉଦବୋଧନ ଦେବା ସମୟରେ ସନ୍ଥ କାଳୀଚରଣ ମହାତ୍ମାଗାନ୍ଧୀଙ୍କ ପ୍ରତି ସମ୍ମାନହାନିଜନକ ମନ୍ତବ୍ୟ ଦେଇଥିଲେ ଏବଂ ତାଙ୍କ ହତ୍ୟାକାରୀ ନାଥୁରାମ ଗଡେସଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଏନେଇ ତାଙ୍କ ବିରୁଦ୍ଧରେ ଏତଲା ଦାୟର ହେବା ପରେ ଗତ ମାସରେ କାଳୀଚରଣଙ୍କୁ ଗିରଫ କରିଥିଲା ଛତିଶଗଡ ପୋଲିସ ।

ଗାନ୍ଧୀଙ୍କୁ ଗାଳି ଦେବା ମାମଲାରେ ପୁଣେ ପୋଲିସ କାଳୀଚରଣଙ୍କୁ ଗତ ବୁଧବାର ଦିନ କୋର୍ଟରେ ହାଜର କରିଥିଲା । କୋର୍ଟରୁ ତାଙ୍କୁ ଦିନିକିଆ ପୋଲିସ ହେପାଜତକୁ ପଠାଯାଇଥିଲା । ଗୋଟିଏ ଦିନର ପୋଲିସ ହେପାଜତ ଶେଷ ହେବା ପରେ ଗୁରୁବାର ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ।କାଳୀଚରଣଙ୍କ ଓକିଲ ତାଙ୍କ ଜାମିନ ଆବେଦନ କରିଥିଲେ, ଯାହାକୁ ପବ୍ଲିକ ପ୍ରସିକ୍ୟୁଟର ବିରୋଧ କରିଥିଲେ । ସେ ଯୁକ୍ତି ବାଢିଥିଲେ ଯେ, କାଳୀଚରଣଙ୍କ ବିରୁଦ୍ଧରେ ହୋଇଥିବା ମାମଲା ସଙ୍ଗୀନ ଅଟେ ଏବଂ ଏହା ଜାମିନ୍‌ଯୋଗ୍ୟ ନୁହେଁ । ଯଦି କାଳୀଚରଣ ଜାମିନ୍‌ରେ ବାହାରନ୍ତି ତେବେ ସେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରିପାରନ୍ତି । ଅପରପକ୍ଷେ କାଳୀଚରଣଙ୍କ ଓକିଲ ଏହା ଯୁକ୍ତି ଦର୍ଶାଇଥିଲେ ଯେ, କାଳୀଚରଣ କରିଥିବା ଅପରାଧ ପାଇଁ ଦଣ୍ଡବିଧାନ ଅତିବେଶୀରେ ୩ ବର୍ଷ । ତାଙ୍କୁ ଗିରଫ କରିଥିବା ପୋଲିସ ଅଧିକାରୀ ଦଣ୍ଡବିଧାନର ଧାରା 41A ଅଧିନରେ କୌଣସି ନୋଟିସ୍ ଜାରି କରିନଥିଲେ । ତେଣୁ ତାଙ୍କ ଗିରଫଦାରୀ ଅବୈଧ ଅଟେ ବୋଲି ଦାବି କରିଥିଲେ ଓକିଲ । ଏଥିସହ ୭ ଦିନ ବିଳମ୍ବରେ FIR ରୁଜୁ କରାଯାଇଥିଲା । ଯେଉଁଥିରୁ ତାଙ୍କ ବିରୁଦ୍ଧରେ ମିଥ୍ୟା ଆରୋପ ଲଗାଯିବାର ସମ୍ଭାବନା ସୃଷ୍ଟି ହେଉଛି ବୋଲି କହିଥିଲେ ଓକିଲ ।

ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ସହ ଏବଂ ରିମାଣ୍ଡ ପେପର ଓ କେସ୍ ଡାଏରୀ ଦେଖିବା ପରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ଏମ ଏ ଶେଖ୍ ନିଜ ଆଦେଶରେ କହିଛନ୍ତି କି, ଯାଞ୍ଚ ପୂରା ହେବା ପାଇଁ ସମୟ ଲାଗିବ । ସେ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଜେଲ୍‌ରେ ରଖାଯାଇ ପାରିବ ନାହିଁ । ତେଣୁ ଜାମିନ୍ ଆବେଦନ ଗ୍ରହଣ କରି ଅଭିଯୁକ୍ତ କାଳୀଚରଣଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି କୋର୍ଟ ।

Related Posts