ବଣାଇଁ,(ସତ୍ୟପାଠବ୍ୟୁରୋ ): ଲଘୁଚାପ ଜନିତ ବର୍ଷାରେ ବେହାଲ ସାରା ରାଜ୍ୟ। ଲଗାଣ ବର୍ଷା ନେଇ ଅନେକ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଘର ଭୁଶୁଡ଼ି ପଡ଼ିଥିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ବର୍ଷା ଛାଡ଼ିଛି, ହେଲେ ଦୁର୍ଦ୍ଦଶା ବଢ଼ିଛି। କାହାର କାନ୍ଥ ଭୁଶୁଡ଼ି ପଡ଼ିଛି ତ କିଏ ଦରଭଙ୍ଗା ଘରେ ଜୀବନ ବିତାଉଛନ୍ତି। ଏ ଦୃଶ୍ୟ ହେଉଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବ୍ଲକ୍ ପିଠାଚୋର ପଂଚାୟତ ଦଲକି ଗ୍ରାମର। ବର୍ଷା କମି ଯାଇଛି, ହେଲେ ଛାଡି ଦେଇ ଯାଇଛି ଅନେକ ଦୁଃଖ। ଗରିବ ଆଦିବାସୀ ପରିବାର, ମୂଲ ଲାଗିଲେ ଚୁଲି ଜଳେ। ଲଗାଣ ବର୍ଷା ଯୋଗୁଁ ଗୋଟିଏ ପଟେ କାମ ବନ୍ଦ ତ, ଅନ୍ୟପଟେ ଘରଦ୍ବାର ଭାଙ୍ଗିରୁଜି ଯାଇଛି। ଗାଁର ଜଂଗଲ ହେମ୍ବ୍ରମ ଛଅ ପ୍ରାଣୀ କୁଟୁମ୍ବଙ୍କୁ ନେଇ ଭଙ୍ଗା ଦଦର ଘରେ ରହୁଛନ୍ତି । ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ପାଣ୍ଡବ ହେମ୍ବ୍ରମ, ମୁକେଶ ଖୁଣ୍ଟିଅ ବାରଜଣ, ଜିଂଗି ଜାରିକା ଭଳି ଅନେକ ପରିବାରଙ୍କ ବର୍ଷାରେ ଘର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି। ସମସ୍ତ ପରିବାର ଏବେ ଜରି ପାଲ ତଳେ, ଅଧା ଭଂଗା ଘରେ ଜୀବନ ଯାପନ କରୁଛନ୍ତି। ପିଠାଚୋର ପଂଚାୟତରୁ ବଣାଇଁ ବ୍ଲକ୍ ଅଫିସ ୩୫କି, ମି, ଦୂର ହୋଇଥିବାରୁ କେହି ଅଧିକାରୀ ଏମାନଙ୍କ ଦୁଃଖ ବୁଝିବାକୁ ସେଠାକୁ ଯାଉ ନଥିବା ଅଭିଯୋଗ ହୋଇଛି। ଏପରିକି ପଂଚାୟତ ଅଧିକାରୀ ଠିକ୍ ସମୟରେ ଅଫିସରେ ରହୁନଥିବା ମଧ୍ୟ ଦେଖିବାକୁ ମିଳିଛି। ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ସେ ଅଂଚଳରେ ଟେଲି ଯୋଗାଯୋଗ ସୁବିଧା ସେତେଟା ନଥିବା ହେତୁ କୌଣସି ପ୍ରକାର ଯୋଗାଯୋଗ ହୋଇ ପାରୁନାହଁ। ପ୍ରଶାସନ ଏଥିପାଇଁ ତୁରନ୍ତ ପ୍ରତିକାର କରିବା ସହ ଅସହାୟ ପରିବାର ମାନଙ୍କୁ ସହାୟତା ଯୋଗାଇ ଦେବାପାଇଁ ଦାବି ହେଉଛି।
