ମଧ୍ୟପ୍ରଦେଶ, (ସତ୍ୟପାଠବ୍ୟୁରୋ): ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲା ହସ୍ପିଟାଲରେ ଅଗ୍ନିକାଣ୍ଡ । ନବଜାତ ଶିଶୁ ଗହନ ଚିକିତ୍ସା ଏକକ (NICU) ରେ ଏକ ଅଭାବନୀୟ ଘଟଣା ଘଟିଛି । ଗତ ଶନିବାର ମଧ୍ୟରାତ୍ରି ପ୍ରାୟ ୨ଟା ସମୟରେ, ଏକ ୱାର୍ମର ମେସିନରେ ହଠାତ୍ ସ୍ପାର୍କିଂ ହୋଇ ନିଆଁ ଲାଗିଯାଇଥିଲା । ଏହି ସମୟରେ ଉକ୍ତ ୱାର୍ମରରେ ତିନୋଟି ନବଜାତ ଶିଶୁଙ୍କୁ ରଖାଯାଇଥିଲା । ନିଆଁର ପ୍ରକୋପରେ ତିନି ଜଣ ଯାକ ନବଜାତ ଶିଶୁ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି । ଜନ୍ମ ପରେ ନବଜାତ ଶିଶୁମାନଙ୍କର ଶରୀରର ତାପମାତ୍ରା ସ୍ବାଭାବିକ ରଖିବା ଏବଂ ଚିକିତ୍ସାଗତ ଦୃଷ୍ଟିରୁ ତଦାରଖ କରିବା ପାଇଁ ଶିଶୁମାନଙ୍କୁ ଏହି ୱାର୍ମରରେ ରଖାଯାଇଥାଏ । ରାତିରେ ହଠାତ୍ ୱାର୍ମରର ହିଟିଂ ୟୁନିଟ୍ ଫିଲାମେଣ୍ଟରେ ସ୍ପାର୍କିଂ ହୋଇ ନିଆଁ ବ୍ୟାପିଯାଇଥିଲା, ଯାହାଫଳରେ ହସ୍ପିଟାଲ ପରିସରରେ ଭୟ ସୃଷ୍ଟି ହୋଇଥିଲା । ଖବର ପାଇବା କ୍ଷଣି ଡାକ୍ତର ଏବଂ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ତିନି ନବଜାତଙ୍କୁ ସୁରକ୍ଷିତ ଭାବେ ବାହାର କରି ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ ।