ଚାନ୍ଦା ନଦେବାରୁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ସତ୍ୟପାଠ 22/12 କେନ୍ଦୁଝର : କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଚାନ୍ଦା ନଦେବାରୁ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ତରୁଆଁ ପଞ୍ଚାୟତର ବଣିଆପଶି ଗ୍ରାମରେ ଜଣେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଆକ୍ରମଣରେ ଦୋକାନୀ ଅଭିମନ୍ୟୁ ପାତ୍ର ଗୁରୁତର ଆହତ ହୋଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗ୍ରାମର ବସନ୍ତ ଜେନା ଓ ପ୍ରସନ୍ନ ଜେନା ନାମକ ଦୁଇଜଣ ବ୍ୟକ୍ତି ଆକ୍ରମଣ କରିଥିବା ଅଭିମନ୍ୟୁଙ୍କ ପତ୍ନୀ ସରସ୍ବତୀ ପାତ୍ର ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭି ଲୋଯୋଗ କରିଛନ୍ତି।
ଅଭିମନ୍ୟୁଙ୍କ ଅଭିଯୋଗ ଅନୁଯାୟୀ, କିଛିଦିନ ତଳେ ଗାଁରେ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ହୋଇଥିଲା। ବିଧାୟକଙ୍କ ପିଏସ୍‌ଓ ବାବୁଲା କିଛି ପିଲାଙ୍କୁ ପଠାଇ ତାଙ୍କୁ ୨ ହଜାର ଟଙ୍କା ଚାନ୍ଦା ମାଗିଥିଲେ। ୨ ହଜାର ନୁହେଁ ତିନିଶହ ଟଙ୍କା ଚାନ୍ଦା ଦେବେ ବୋଲି ଅଭିମନ୍ୟୁ କହିବାରୁ ସମ୍ପୃକ୍ତ ଯୁବକମାନେ ତାଙ୍କ ଦୋକାନର ଜିନିଷପତ୍ର ଫିଙ୍ଗିଦେବା ସହ ଗାଳିଗୁଲଜ କରିଥିଲେ। ଗତକାଲି ଅପରାହ୍‌ଣରେ ଦୋକାନ ଖୋଲୁଥିବା ବେଳେ ବାବୁଲାଙ୍କ ନିର୍ଦେଶକ୍ରମେ ବସନ୍ତ ଏବଂ ପ୍ରସନ୍ନ ଲୁହାରଡ୍‌ ଓ କ୍ରି‌କେଟ୍‌ ଷ୍ଟମ୍ପରେ ଅଭିମନ୍ୟୁଙ୍କୁ ନିସ୍ତୁକ ପିଟିବାରୁ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆଜି ଅଭିମନ୍ୟୁଙ୍କ ପତ୍ନୀ ସରସ୍ବତୀ ରାମଚନ୍ଦ୍ରପୁର ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷ‌ରେ ବସନ୍ତ ଜେନାଙ୍କ ପତ୍ନୀ ଚାରୁଲତା ଜେନା ଅଭିମନ୍ୟୁଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି। ରାମଚନ୍ଦ୍ରପୁର ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ବାର୍ଲା ଉଭୟଙ୍କ ଏତଲା ଆଧାରରେ କେସ୍‌ ନମ୍ବର ୧୧୪/୨୧ ଏବଂ ୧୧୫/୨୧ରେ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ବିଧାୟକଙ୍କ ପିଏସ୍‌ଓ ବାବୁଲା ଘଡ଼େଇଙ୍କୁ ପଚାରିବାରୁ, ସେ ଗଣ୍ତଗୋଳରେ ଆଦୌ ସାମିଲ ନାହାନ୍ତି। ଗଣ୍ତଗୋଳ ସମୟରେ ସେ ଗାଁରେ ନଥିଲେ। ଜମିଜମା ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଯଥାରେ ତାଙ୍କ ନାମକୁ ଏତଲାରେ ଯୋଡ଼ା ଯାଇଛି ବୋଲି ବାବୁଲା କହିଛନ୍ତି।

Related Posts