ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ପାହାଡ଼ କାଟି ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଉତ୍ତରାଖଣ୍ଡର ଚାମୋଲି ଟନେଲରେ ଭୂସ୍ଖଳନ ହୋଇଛି। ଏଥିରେ ୯ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଫସି ରହିଥିବା ସୂଚନା ମିଳିଛି। ପାହାଡ଼ ଭିତରେ ଚାଲିଥିଲା ନିର୍ମାଣ କାମ। ହଠାତ୍ ଗର୍ଜନ ସହ ଖସିଲା ମାଟି ଓ ମଲବା, ଟନେଲ ଭିତରକୁ ମାଡ଼ିଆସିଲା ପାଣି। କିଛି ମୁହୂର୍ତ୍ତ ମଧ୍ୟ ଅନ୍ଧାର ଟନେଲ ପାଲଟିଗଲା ଭୟଙ୍କର ମୃତ୍ୟୁଫାଶରେ। ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ପିପଲକୋଟି ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଅନେକ ଶ୍ରମିକ ପ୍ରଭାବିତ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ଆସିଛି। ଗୁରୁବାର ସନ୍ଧ୍ୟାରେ ଟିହରି ହାଇଡ୍ରୋ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ୍ (THDC)ର ଏକ ନିର୍ମାଣାଧୀନ ଟନେଲରେ ଶ୍ରମିକମାନେ କାମ କରୁଥିବା ସମୟରେ ହଠାତ୍ ଭୂସ୍ଖଳନ ଘଟିଥିଲା। ଭୂସ୍ଖଳନ ପରେ ପାହାଡ଼ରୁ ମାଟି, ପଥର ଓ ମଲବା ସହ ପାଣି ଟନେଲ ଭିତରକୁ ପ୍ରବେଶ କରିଥିଲା। ଫଳରେ ଟନେଲ ଭିତରେ ପ୍ରାୟ ୨୮ ଜଣ ଶ୍ରମିକ ଫସିଯାଇଥିବା ସୂଚନା ମିଳିଥିଲା ।
ଘଟଣାର ଖବର ପାଇବା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ସହ ସ୍ଥାନୀୟ ପ୍ରଶାସନ ଏବଂ ଇଞ୍ଜିନିୟରମାନେ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କଷ୍ଟସାଧ୍ୟ ପରିସ୍ଥିତି ସତ୍ତ୍ୱେ ୧୬ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା। ଟନେଲ ଭିତରେ ଏବେ ମଧ୍ୟ ପାଣି ଜମିରହିବା ସହ ଉଦ୍ଧାରକାର୍ଯ୍ୟକୁ ଅଧିକ କଷ୍ଟକର କରିଥିଲା। ମଲବା ହଟାଇବା ପାଇଁ ଉଦ୍ଧାରକାରୀମାନେ ବିଶେଷ ଯନ୍ତ୍ରପାତି ବ୍ୟବହାର କରିଥିଲେ। ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଗଭୀର ଶୋକ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣା ପରେ ପାହାଡ଼ିଆ ଅଞ୍ଚଳରେ ଟନେଲ ନିର୍ମାଣ ସମୟରେ ଶ୍ରମିକଙ୍କ ସୁରକ୍ଷା ଓ ନିର୍ମାଣ ମାନଦଣ୍ଡକୁ ନେଇ ପୁଣିଥରେ ଗୁରୁତର ପ୍ରଶ୍ନ ଉଠିଛି ।
