ବ୍ରହ୍ମପୁର, (ସତ୍ୟପାଠବ୍ୟୁରୋ): ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା। ବ୍ରହ୍ମପୁର ନିକଟରୁ ୧୦୬ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ ଚାଲାଣ ପାଇଁ ବ୍ୟବହୃତ ଏକ ବୋଲେରୋ ଏବଂ ବାଇକ୍ ସହ ୬ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ। ଗୁପ୍ତ ସୂଚନା ଆଧାରରେ ବ୍ରହ୍ମପୁର ଜଗଦଳପୁର ନିକଟରେ ଚଢ଼ାଉ କରିଥିଲା ଅବକାରୀ ଗୁଇନ୍ଦା ଟିମ୍। ଏକ ବୋଲେରୋରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଭାଗକୁ ସୂଚନା ମିଳିଥିଲା। ଏହାପରେ ଯୋଜନାବଦ୍ଧ ଭାବେ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ବୋଲେରୋ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା। ଗଣନା ପରେ ମୋଟ ୧୦୬ କିଲୋ ଗଞ୍ଜେଇ ଜବତ ହୋଇଥିଲା।
ପ୍ରାଥମିକ ସୂଚନା ଅନୁସାରେ, ଏହି ଗଞ୍ଜେଇ କନ୍ଧମାଳରୁ ନୟାଗଡ଼ ଅଭିମୁଖେ ଚାଲାଣ ହେଉଥିଲା। ତେବେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଅବକାରୀ ଗୁଇନ୍ଦା ଟିମ୍ ଏହି ଚାଲାଣକୁ ଧରିବାରେ ସଫଳ ହୋଇଛି। ଚଢ଼ାଉ ସମୟରେ ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାପଡ଼ିଛି। ତାଙ୍କୁ ଧରିବା ପାଇଁ ତଦନ୍ତକାରୀ ଟିମ୍ ପକ୍ଷରୁ ଚେଷ୍ଟା ଜାରି ରହିଛି। ଏହି ଘଟଣାରେ ଅବକାରୀ ବିଭାଗ ୩ ଜଣଙ୍କୁ ଗିରଫ କରିଛି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ବୋଲେରୋ ସହ ଏକ ବାଇକ୍ ମଧ୍ୟ ଜବତ ହୋଇଛି। ଏହାସହ ୬ଟି ମୋବାଇଲ ଫୋନ୍ ଜବତ କରି ଅଧିକ ଖୋଳତାଡ଼ ଆରମ୍ଭ କରିଛି ଅବକାରୀ ଗୁଇନ୍ଦା ବିଭାଗ। ଜବତ ମୋବାଇଲରୁ ଗଞ୍ଜେଇ ଚାଲାଣ ସମ୍ପର୍କିତ କୌଣସି ତଥ୍ୟ ମିଳୁଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି। ୧୦୬ କିଲୋ ଗଞ୍ଜେଇ, ବୋଲେରୋ, ବାଇକ୍ ଓ ୬ଟି ମୋବାଇଲ ଜବତ-୩ ଗିରଫ। କନ୍ଧମାଳରୁ ନୟାଗଡ଼ ଯାଉଥିବା ଏହି ବେଆଇନ ଗଞ୍ଜେଇ ଚାଲାଣକୁ ବ୍ରହ୍ମପୁର ନିକଟରେ ଧରିଛି ଅବକାରୀ ଗୁଇନ୍ଦା ବିଭାଗ। ତେବେ ଚଢ଼ାଉ ବେଳେ ଖସି ପଳାଇଥିବା ବ୍ୟକ୍ତିଙ୍କୁ କେବେ ଧରାଯାଉଛି, ଏବେ ତାହା ଉପରେ ନଜର।