କଟକ(ସତ୍ୟପାଠବ୍ୟୁରୋ) : ଚୌଦ୍ୱାର ଜେଲରୁ ଦୁଇ କଏଦୀ ଫେରାର ମାମଲାର ଏବେ ନୂଆ ମୋଡ଼ ନେଇଛି। ଏନେଇ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଥାନାରେ ଏତଲା ଦେଲେ ରାଜ୍ୟସଭା ସାଂସଦ ସୁଜିତ କୁମାର। ଚୌଦ୍ବାର ସର୍କଲ ଜେଲ୍‌ ସୁପରିନଟେଣ୍ଡେଣ୍ଟ ଏବଂ ଓଡ଼ିଶା ଜେଲ୍ ଓ କରେକ୍ସନାଲ ସର୍ଭିସେସର ଡିଜି ସୁଶାନ୍ତ କୁମାର ନାଥଙ୍କ ବିରୋଧରେ ଚୌଦ୍ବାର ଥାନାରେ ଏତଲା ଦେଇଛନ୍ତି । ଜେଲରୁ ଦୁଇ ହାର୍ଡକୋର କଏଦୀଙ୍କ ଫେରାରରେ ଏମାନେ ସହାୟତା କରିଥିବା ନେଇ ଏଫଆଇଆରରେ ଉଲ୍ଲେଖ କରିଛନ୍ତି । ଫେରାର ପରେ କଏଦୀଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ନଷ୍ଟ କରିବା, ଦସ୍ତଖତ ଜାଲିଆତି, ଅଫିସିଆଲ୍ ଦସ୍ତାବିଜ୍‌ଗୁଡ଼ିକର ହେରଫେର, ପଦବୀର ଅପବ୍ୟବହାର କରିଛନ୍ତି । ତେଣୁ ଏହାର ପୂର୍ଣ୍ଣ ଓ ନିରପେକ୍ଷ ତଦନ୍ତ ହେଲେ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ସୁଜିତ କୁମାର ଏତଲାରେ ଉଲ୍ଲେଖ କରିଛନ୍ତି । ସୂଚନା ଅନୁସାରେ, ଗତବର୍ଷ ଅକ୍ଟୋବର ୩ ତାରିଖ ରାତିରେ ଦଶହରା ପାଳନ ଦିନ ଦୁଇ ବିଚାରାଧୀନ କଏଦୀ ରାଜା ସାହାନୀ ଓ ମଧୁକାନ୍ତ ରଣା ଚୌଦ୍ବାଲ ଜେଲରୁ ଫେରାର ହୋଇଥିଲେ । ଏହି ଘଟଣାକୁ ନେଇ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ସରକାରୀ ଦସ୍ତାବିଜ ଜାଲିଆତି କରିବା ନେଇ ତତ୍କାଳୀନ ଜେଲର୍‌ ସନ୍ତୋଷିନୀ ଦାଶ ଚୌଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ପରେ ଏହାର ପରିଣାମ କ’ଣ ହେବ ତାହା ଜାଣିପାରି ରେକର୍ଡରେ ହେରଫେର କରିବାକୁ ଜେଲ ସୁପରିନଟେଣ୍ଡେଣ୍ଟ ଏଭଳି ଉଦ୍ୟମ କରିଥିଲେ । ଏହି ଘଟଣାର ତଦନ୍ତ ଚୌଦ୍ବାର ଥାନା ପୁଲିସ କରୁଛି।