ରାଉରକେଲା(ସତ୍ୟପାଠ ବ୍ୟୁରୋ ): ଖାଦ୍ୟ ସନ୍ଧାନରେ ଜନବସତି ମୁହାଁ ହେଉଛନ୍ତି ହାତୀ ପଲ। କେତେବେଳେ ଦଳି ମକଚି ଫସଲ ନଷ୍ଟ କରୁଛନ୍ତି ତ କେତେବେଳେ ଘର ଭାଙ୍ଗି ଧାନ ଖାଉଛନ୍ତି। ଆଉ କେହି ହାତୀ ହାବୁଡ଼ରେ ପଡ଼ିଲେ କଥା ସରିଲା। ଫଳରେ ଭୟରେ ଏଠାରେ ସନ୍ଧ୍ୟା ହଲେ ପଡ଼ୁଛି ତାଟି କବାଟ। ଲୋକେ ବାହାରକୁ ବାହାରିବା ପାଇଁ ଭୟଭୀତ ହେଉଛନ୍ତି। ହେଲେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ହାତୀର ଗତିପଥ ନେଇ ଆଗୁଆ ସୂଚନା ବି ଦିଆଯାଉ ନଥିବାରୁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଇସ୍ପାତ୍ ସହରର ଆଖପାଖ ଅଞ୍ଚଳରେ ଏବେ ଦନ୍ତା ଆତଙ୍କ। କିଛି ଦିନ ତଳେ ପାନପୋଷ ବନଖଣ୍ଡ ଅନ୍ତର୍ଗତ ସନ୍ତୋଷପୁର ସଂରକ୍ଷିତ ଜଙ୍ଗଲରେ ଆଲୋକ ନାଥ ମହନ୍ତ ହାତୀ ହାବୁଡ଼ରେ ପଡ଼ି ମୃତ୍ୟୁବରଣ କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ କ୍ଷତି ପୂରଣ ବାବଦକୁ ମାତ୍ର ୩୦ ହଜାର ଟଙ୍କା ଦେଇ ବନ ବିଭାଗ ଚୁପ ବସିଛି। ଏକ ସପ୍ତାହ ମଧ୍ୟରେ ଆଉ ଏକ ଲକ୍ଷ ପ୍ରଦାନ କରାଯିବା ସହିତ ତଦନ୍ତ କରି ୯ଲକ୍ଷ ପ୍ରଦାନ କରାଯିବା ନେଇ ସୂଚନା ଦେଇଥିଲେ। ହେଲେ ଏ ଯାଏ କୌଣସି କ୍ଷତି ପୂରଣ ଦିଆ ଯାଇ ନଥିବା ଜଣାପଡ଼ିଛି। ସେହିପରି ବିର୍ସା ଥାନା ଅନ୍ତର୍ଗତ କପାଟ ମୁଣ୍ଡା ପଞ୍ଚାୟତର ହାତେର ମୁଣ୍ଡାଙ୍କ ଦୁଇ ବଖରା ଘର ଦନ୍ତା ହାତୀ ଭାଙ୍ଗି ଚାଉଳ ଖାଇ ଯିବାର ସୂଚନା ମିଳିଛି। ହାତୀ ଆକ୍ରମଣରେ ଧନ ଜୀବନ ନଷ୍ଟ ହେଉଛି। ଵନ ବିଭାଗ ଯଦି ହାତୀ ପଲଙ୍କ ଗତି ବିଧି ଉପରେ ନଜର ରଖି ପାରନ୍ତେ ଅମୂଲ୍ୟ ଜୀବନ ନଷ୍ଟରୁ ରକ୍ଷା ମିଳନ୍ତା। ଜନସାଧାରଣଙ୍କ ଅଭିଯୋଗ ଵନ ବିଭାଗ ପକ୍ଷରୁ ଆଗୁଆ ସୂଚନା ମିଳି ପାରୁନି କି ହାତୀପଲଙ୍କ ସ୍ଥିତି ବିଷୟରେ ସତର୍କ ସୂଚନା ଜାରି କରାଯାଉନି। ଏପରିକି ଗାଁରେ ହାତୀପଲ ପଶିଥିଲେ ବି ବନ ବିଭାଗ ପକ୍ଷରୁ ତତ୍ପରତା ଦେଖାଇ ଘଉଡ଼ା ଯାଉ ନ ଥିବା ଅଭିଯୋଗ ହେଉଛି। ଏନେଇ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।
