କଳାହାଣ୍ଡି(ସତ୍ୟପାଠବ୍ୟୁରୋ): ଡାକ୍ତରଙ୍କ ମୃତ ଘୋଷଣା ପରେ ଶୁଶୁଟି ଜୀବିତ ଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଏଭଳି ଅଭିଯୋଗ ଆଣିଥିବାବେଳେ କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଏକ ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି। ଡାକ୍ତରଙ୍କ ଦ୍ୱାରା ମୃତ ଘୋଷଣା କରାଯାଇଥିବା ଜଣେ ୧୧ ମାସର ଶିଶୁ ପରେ ଜୀବିତ ଥିବା ଅଭିଯୋଗ ହୋଇଛି। ତେବେ କିଛି ସମୟ ପରେ ଶିଶୁଟିର ପ୍ରକୃତରେ ମୃତ୍ୟୁ ଘଟିଥିବାରୁ ଘଟଣାକୁ ନେଇ ଚାରିଆଡ଼େ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଘଟଣା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ର ତୁନଗାଁରେ ଘଟିଛି। ସୂଚନା ଅନୁସାରେ, ଶିଶୁଟି ଅସୁସ୍ଥ ହେବାରୁ ପରିବାର ଲୋକେ ତାକୁ ଚିକିତ୍ସା ପାଇଁ ଭବାନୀପାଟଣା ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ପରେ ପରିବାର ଲୋକେ ଶିଶୁଟିକୁ ନେଇ ଘରକୁ ଫେରୁଥିବା ବେଳେ, ଶିଶୁଟି ଜୀବିତ ଥିବା ଅନୁଭବ କରିଥିବା ଅଭିଯୋଗ କରିଛନ୍ତି। ତେବେ କିଛି ସମୟ ପରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ପରିବାର ଲୋକେ ଡାକ୍ତରଙ୍କ ବିରୋଧରେ ଚିକିତ୍ସା ଅବହେଳାର ଅଭିଯୋଗ ଆଣିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ନ୍ୟାୟ ଦେବାକୁ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକ ଦାବି କରିଛନ୍ତି।