ସୁନ୍ଦରଗଡ଼(ସତ୍ୟପାଠ ବ୍ୟୁରୋ ): ରାସ୍ତା ନାହିଁ କି ଘାଟ। ଅସରାଏ ବର୍ଷା ହେଲେ ମୁଖ୍ୟରାସ୍ତାରୁ ବିଚ୍ଛିନ୍ନ ହୋଇଯାଉଛି ଗାଁ। ବର୍ଷ ତମାମ ନାଳ ପାର ହୋଇ ଯିବା ଆସିବା କରନ୍ତି ଗାଁ ଲୋକେ। ହେଲେ ବର୍ଷା ଦିନରେ ଅବସ୍ଥା ବେହାଲ। ବର୍ଷା ଯୋଗୁଁ ନାଳ ଭରା ରହୁଥିବାବେଳେ ଏଠାକାର ଲୋକେ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଆନ୍ତି। ଏହାରି ମଧ୍ୟରେ କିଏ ରୋଗରେ ପଡ଼ିଲେ କଥା ସରିଲା । ଗାଁ ଲୋକେ ମୁଣ୍ଡ ହାତ ଦେଇ ବସନ୍ତି। ନା ଆସିବ ଆମ୍ବୁଲାନ୍ସ  ନା ଯାଇପାରିବ ମେଡିକାଲ। ଶେଷରେ ବାଧ୍ୟହୋଇ ଖଟିଆରେ ବୁହା ହୋଇ ଯାଆନ୍ତି। ଏହା ଏବେ ଏଠାକାର ନିତିଦିନିଆ ଦୃଶ୍ୟ କହିଲେ କିଛି ଭୁଲ ହେବ ନାହିଁ। ସବୁଠାରୁ ବିଡ଼ମ୍ବନାର ବିଷୟ ସ୍ବାଧୀନତାର ୭ ଦଶନ୍ଧି ପରେ ବି ଗାଁକୁ ପକ୍କା ରାସ୍ତା ଖଣ୍ଡିଏ ନାହିଁ କି ଏହି ନାଳ ଉପରେ ପୋଲଟିଏ ହୋଇ ପାରୁନି। ଏ ଦୁର୍ଦ୍ଦଶା ହେଉଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର କେ.ବଲାଙ୍ଗ ପଞ୍ଚାୟତ ଗାଢାଟୋଲା ଗାଁଲୋକଙ୍କ। ଲଗାଣ ବର୍ଷା ଯୋଗୁଁ କେ.ବଲାଙ୍ଗ ପଞ୍ଚାୟତ ଗାଢାଟୋଲା ନିକଟ ସମିଜ ନାଳ ଫୁଲିଛି। ଏହି ସମୟରେ ଗାଁର ତେଲାନ ସାମଦ ଅସୁସ୍ଥ ହୋଇପଡିଥିଲେ। ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଗ୍ରାମବାସୀ ଖଟିଆରେ ବୋହି ନାଳ ପାର କରାଇଥିଲେ। ବିପଦ ସଙ୍କୁଳ ଅବସ୍ଥାରେ ଭରା ନାଳରେ ବେକେ ପାଣିରେ ପଶି ରୋଗୀଙ୍କୁ ଖଟିଆରେ କାନ୍ଧରେ ବୋହିଲେ ଗ୍ରାମବାସୀ। ପ୍ରଥମେ କେ ବଲାଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ରାଉରକେଲାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସମିଜ ନାଳ ଉପରେ ପୋଲ ନଥିବାରୁ ପ୍ରତିବର୍ଷା ବର୍ଷା ଦିନେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ନାଳ ଫୁଲି ଯିବାରୁ କେ ବଲାଙ୍ଗ ପଞ୍ଚାୟତର ଗାଢାଟୋଲା ଓ ବାକରଟୋଲା ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ନାଳ ଉପରେ ବ୍ରିଜ ନିର୍ମାଣା ପାଇଁ ବାରମ୍ବାର ଦାବି କରିଥିଲେ ମଧ୍ୟ ଆଜିଯାଏ ସମସ୍ୟାର ସମାଧାନ ହୋଇପାରିନି।