ଜେଲ୍‌ରେ ଆତ୍ମହତ୍ୟା ଉଦ୍ୟମ କଲେ ଅଦାଲତ ବିସ୍ଫୋରଣ ଅଭିଯୁକ୍ତ DRDO ବୈଜ୍ଞନିକ

ନୂଆଦିଲ୍ଲୀ 20/12: ରୋହିଣୀ ଡିଷ୍ଟ୍ରିକ୍ଟ କୋର୍ଟରେ ବିସ୍ଫୋରକ ସାମଗ୍ରୀ ରଖିଥିବା ଅଭିଯୋଗରେ ଗିରଫ ହୋଇଥିବା ‘ଡିଆର୍‌ଡିଓ’ର ଜଣେ ବରିଷ୍ଠ ବୈଜ୍ଞାନିକ ପୁଲିସ ହାଜତରେ ହ୍ୟାଣ୍ଡ୍‌ୱାସ୍‌ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା କଥା ରବିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି । ସମ୍ପ୍ରତି ‘ଏମ୍‌ସ୍‌‌’ରେ ଚିକିତ୍ସାଧୀନ ଥିବା ୪୭ ବର୍ଷିୟ ଅଭିଯୁକ୍ତ ବୈଜ୍ଞାନିକ ଭାରତଭୂଷଣ କଟାରିଆଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭଲ ଥିବା କଥା ସେମାନେ କହିଛନ୍ତି ।

ଚଳିତ ମାସ ୯ ତାରିଖ ଦିନ ଅଭିଯୁକ୍ତ ବୈଜ୍ଞାନିକଜଣକ ରୋହିଣୀ କୋର୍ଟରେ ଗୋଟାଏ ‘ଆଇଇଡି’ ଥିବା ଟିଫିନ୍‌ କ୍ୟାରିୟର୍‌ ରଖିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ତାଙ୍କ ବିରୋଧରେ କେତେକ ମାମଲା ରୁଜୁ କରିଥିବା ଜଣେ ପଡ଼ୋଶୀ ଓକିଲଙ୍କୁ ‘ଆଇଇଡି’ ବିସ୍ଫୋରଣ କରି ହତ୍ୟା କରିବା ଥିଲା ତାଙ୍କର ଉଦ୍ଦେଶ୍ୟ। ସେଦିନ ମଧ୍ୟ ସେ ଓକିଲଜଣକ କୋର୍ଟ ପରିସରରେ ଉପସ୍ଥିତ ଥିଲେ।ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନ ଦିଲ୍ଲୀ ପୁଲିସର ସ୍ପେସାଲ୍‌ ସେଲ୍‌ ଜେରା କରିବା ପରେ ଗିରଫ କରିଥିଲା। ସେବେଠାରୁ ସେ ପୁଲିସ ହାଜତରେ ଥିଲେ ଏବଂ ତାଙ୍କୁ ପଚରା ଉଚରା କରାଯାଉଥିଲା ବୋଲି ପୁଲିସ କହିଛି ।

ଶନିବାର ରାତିରେ ସେ ସ୍ନାନାଗାରରେ ଥିବା ତରଳ ‘ହ୍ୟାଣ୍ଡ୍‌ୱାସ୍‌’ ପିଇ ଅଚେତ ହୋଇ ପଡ଼ିଥିଲେ। ପଚରା ଯିବାରୁ ସେ ବାନ୍ତି ଏବଂ ପେଟ କାମୁଡୁଛି ବୋଲି କହିଥିଲେ। ତୁରନ୍ତ ତାଙ୍କୁ ବାବା ସାହେବ ଆମ୍ବେଦକର ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାକାର ଡାକ୍ତରମାନେ ତାଙ୍କୁ ‘ଏମ୍‌ସ୍‌’କୁ ରେଫର୍‌ କରିଥିଲେ ବୋଲି ପୁଲିସ କହିଛି । ପୁଲିସ କର୍ମଚାରୀମାନେ ଡାକ୍ତରଖାନା ଯାଇ ତାଙ୍କୁ ପଚାରିବାରୁ ସେ ସେଭଳି କିଛି ଖାଇ ନ ଥିବା କଥା କହିଥିଲେ। କିନ୍ତୁ, ‘ହ୍ୟାଣ୍ଡ୍‌ୱାସ୍‌’ ପିଇଛନ୍ତି ବୋଲି ଡାକ୍ତରଙ୍କୁ କହିଥିଲେ ।

Related Posts