ପାଟଣାଗଡ଼: ପାଟଣାଗଡ଼ ସହରରେ ଡିଜେର ପ୍ରବଳ ଶବ୍ଦ ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ପରିବାର ସଦସ୍ୟ ଓ ସ୍ଥାନୀୟ ବାସିନ୍ଦାମାନେ ମୁଖ୍ୟ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପାଟଣାଗଡ଼ ସହରର ୮ ନମ୍ବର ୱାର୍ଡରେ ଏକ ବିବାହ ଉତ୍ସବ ଚାଲିଥିଲା। ସେହି ସମୟରେ ସ୍ଥାନୀୟ ବାସିନ୍ଦା ଲୋଚନା ବାହୁକ ଡିଜେର ପ୍ରବଳ ଶବ୍ଦ ଶୁଣି ଅଚେତ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲୋଚନା ବାହୁକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହାକୁ ନେଇ ଶନିବାର ସକାଳୁ ମୃତକଙ୍କ ପରିବାରବର୍ଗ ଓ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ପାଟଣାଗଡ଼–କଣ୍ଟାବାଞ୍ଜି ମୁଖ୍ୟ ସଡ଼କ ଅବରୋଧ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କ ସହ ଆଲୋଚନା ଜାରି ରଖିଥିବା ଜଣାପଡ଼ିଛି।