ସମ୍ବଲପୁର, (ସତ୍ୟପାଠବ୍ୟୁରୋ ): ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ଶିକାର ରୋକିବା ପାଇଁ ଡେବ୍ରିଗଡ଼ ଅଭୟାରଣ୍ୟରେ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି। ଏକ ଇ-ଆଇ ସର୍ଭେଲାନ୍ସ ଟାୱାର ସହ ୧୮ଟି ସ୍ମାର୍ଟ କ୍ୟାମେରା ଟ୍ରାପ୍କୁ ସଂଯୋଗ କରାଯାଇଛି। ଏହାଦ୍ୱାରା ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ରିଅଲ୍ ଟାଇମ୍ ନଜର ରଖିବା ସହ ସନ୍ଦେହଜନକ ମାନବ ଗତିବିଧି ଚିହ୍ନଟ କରିବା ସହଜ ହେବ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍ଓ ଅଂଶୁ ପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।
ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୨୫ ଡିସେମ୍ବରରେ ୫ଟି କ୍ୟାମେରା ଟ୍ରାପ୍କୁ ଏଆଇ ଟାୱାର ସହ ସଂଯୋଗ କରାଯାଇଥିଲା। ଅଭୟାରଣ୍ୟ ଭିତରେ ୱାୟାରଲେସ୍ ମେଶ୍ ନେଟୱର୍କ ବ୍ୟବସ୍ଥା ସ୍ଥିର ହେବା ପରେ ଅକ୍ଟୋବରରୁ ମୋଟ ୧୮ଟି କ୍ୟାମେରା ଟ୍ରାପ୍ କାର୍ଯ୍ୟକ୍ଷମ ହୋଇଛି। ଏହି କ୍ୟାମେରାଗୁଡ଼ିକରୁ ଉଠୁଥିବା ଫଟୋ ଓ ଭିଡିଓ ସିଧାସଳଖ ନିୟନ୍ତ୍ରଣ କକ୍ଷକୁ ପହଞ୍ଚୁଛି। ଅଭୟାରଣ୍ୟର ଚୌରାସିମାଲରେ ସ୍ଥାପିତ ଇ-ଆଇ ସର୍ଭେଲାନ୍ସ ଟାୱାର ୨୦୨୫ ଡିସେମ୍ବରରୁ କାର୍ଯ୍ୟ କରୁଛି। ଏହା ୫ରୁ ୬ କିଲୋମିଟର ପରିଧି ମଧ୍ୟରେ ପ୍ରାୟ ୭୦ ବର୍ଗ କିଲୋମିଟର ଅଞ୍ଚଳ ଉପରେ ନଜର ରଖିପାରୁଛି। ଅପ୍ଟିକାଲ୍ ଓ ଥର୍ମାଲ୍ କ୍ୟାମେରା ସହାୟତାରେ ଦିନରାତି ୨୪ ଘଣ୍ଟା ବନ୍ୟପ୍ରାଣୀଙ୍କ ଗତିବିଧି, ମାନବ ପ୍ରବେଶ ଓ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି। ଜଙ୍ଗଲର ଦୁର୍ଗମ ଅଞ୍ଚଳରେ ସ୍ଥାପିତ ଏହି ୧୮ଟି ଏଆଇ କ୍ୟାମେରା ଗୟଳ, କଲରାପତରିଆ ବାଘ, ସମ୍ବର, ଚିତଳ ହରିଣ, ଭାଲୁ ଓ ନୀଳଗାଈ ଭଳି ବନ୍ୟପ୍ରାଣୀଙ୍କୁ ଚିହ୍ନଟ କରିବାରେ ସହାୟକ ହେଉଛି। ଅଦରକାରୀ ଫଟୋକୁ ଫିଲ୍ଟର କରି ଆବଶ୍ୟକ ତଥ୍ୟ ନିୟନ୍ତ୍ରଣ କକ୍ଷକୁ ପଠାଉଥିବାରୁ ବନ କର୍ମଚାରୀଙ୍କୁ ବାରମ୍ବାର ଜଙ୍ଗଲ ଭିତରକୁ ଯିବାକୁ ପଡ଼ୁନାହିଁ। ଏହି ବ୍ୟବସ୍ଥା ଦ୍ୱାରା ବନ୍ୟପ୍ରାଣୀଙ୍କ ଗତିବିଧି, ବାସସ୍ଥଳୀର ବ୍ୟବହାର ଓ ହାତୀ ଚଲାପଥ ଉପରେ ନଜର ରଖିବା ସହ ଶିକାର ଉଦ୍ୟମ ଓ ଅନଧିକୃତ ପ୍ରବେଶ ଚିହ୍ନଟ କରାଯାଇପାରିବ। ଏଥିସହ ଜଙ୍ଗଲ ନିଆଁକୁ ଶୀଘ୍ର ଚିହ୍ନଟ କରିବା, ରାତ୍ରିକାଳୀନ ନିରୀକ୍ଷଣ ବଢ଼ାଇବା ଓ ପାଟ୍ରୋଲିଂକୁ ଅଧିକ ଫଳପ୍ରଦ କରିବାରେ ଏହା ସହାୟକ ହେବ। ଉଲ୍ଲେଖଯୋଗ୍ୟ, ଡେବ୍ରିଗଡ଼ ଅଭୟାରଣ୍ୟରେ ଲଗାତାର ତିନି ବର୍ଷ ଧରି ବର୍ଷକୁ ପ୍ରାୟ ୯୦ ହଜାର କିଲୋମିଟର ପାଦଚଲା ପାଟ୍ରୋଲିଂ କରାଯାଉଛି। ଏବେ ପାରମ୍ପରିକ ପାଟ୍ରୋଲିଂ ସହ ଏଆଇ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ଯୋଗୁଁ ବନ୍ୟପ୍ରାଣୀଙ୍କ ଗତିବିଧି ଟ୍ରାକିଂ, ପ୍ରଜାତି ଚିହ୍ନଟ ଓ ବିପଦର ପୂର୍ବାନୁମାନ ଅଧିକ ଦ୍ରୁତ ଓ ବୈଜ୍ଞାନିକ ହୋଇପାରିବ ବୋଲି ଡିଏଫ୍ଓ କହିଛନ୍ତି।
