ଲକ୍ଷ୍ନୌ(ସତ୍ୟପାଠ ବ୍ୟୁରୋ) : ଲକ୍ଷ୍ନୌର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଆକ୍ସନ ମୁଡରେ ଯୋଗୀ ସରକାର । ଉତ୍ତରପ୍ରଦେଶର ଯୋଗୀ ସରକାର କୋଚିଂ ସେଣ୍ଟରଗୁଡ଼ିକ ପାଇଁ କଡ଼ା ଆଇନ ଆଣିବାକୁ ଯାଉଛନ୍ତି । ୫୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା କୋଚିଂ ସେଣ୍ଟରଗୁଡ଼ିକ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯିବ । ସେମାନଙ୍କୁ ନିଆଁରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ । ପଢୁଥିବା ଛାତ୍ରଛାତ୍ରୀଙ୍କୁ ଆବଶ୍ୟକୀୟ ସୁବିଧା ଦେବାକୁ ହେବ ଏବଂ ମଝିରେ ପାଠପଢ଼ା ଛାଡ଼ିଲେ ଫି’ ଫେରସ୍ତର ଗ୍ୟାରେଣ୍ଟି ଦେବାକୁ ପଡ଼ିବ । ନିୟମ ଉଲ୍ଲଂଘନ କଲେ ୫୦ ହଜାରରୁ ୧.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ହେବ ।

ଏଥିପାଇଁ ‘ଉତ୍ତରପ୍ରଦେଶ କୋଚିଂ (ନିୟନ୍ତ୍ରଣ) ଅଧ୍ୟାଦେଶ-୨୦୨୬’ ପ୍ରଣୟନ ପାଇଁ ପ୍ରସ୍ତୁତି ଚାଲିଛି । ଉତ୍ତର ପ୍ରଦେଶରେ ଘରୋଇ କୋଚିଂ ସେଣ୍ଟରଗୁଡ଼ିକର ପଞ୍ଜୀକରଣ ଏବଂ ସେଗୁଡ଼ିକ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଉଛି । ଏଗୁଡ଼ିକୁ ନିୟନ୍ତ୍ରଣ କରିବା, ପାଠ୍ୟପୁସ୍ତକ ଓ ସାମଗ୍ରୀର ମୂଲ୍ୟ ସ୍ଥିର କରିବା ଏବଂ ସେମାନଙ୍କ ଦ୍ୱାରା କରାଯାଉ ଥିବା ବେଆଇନ ଅର୍ଥ ଆଦାୟ ଉପରେ ରୋକ୍ ଲଗାଇବାର ପ୍ରାବଧାନ ରହିବ । ଯୋଗୀ ସରକାରଙ୍କ ନିୟମ ଅନୁଯାୟୀ, ସ୍ନାତକ ଠାରୁ କମ୍ ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ ଶିକ୍ଷକ ଭାବରେ ନିଯୁକ୍ତି ଦିଆଯାଇ ପାରିବ ନାହିଁ । କୋଚିଂ ସେଣ୍ଟରଗୁଡ଼ିକ ନାମଲେଖା ପାଇଁ ରାଙ୍କ୍ କିମ୍ବା ଭଲ ନମ୍ବର ଦେବାର କୌଣସି ଭ୍ରମାତ୍ମକ ପ୍ରତିଶ୍ରୁତି ଦେଇ ପାରିବେ ନାହିଁ ।

ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ଜୁନ୍ ମାସ ୨୨ ତାରିଖରେ ଲକ୍ଷ୍ନୌର ଅଲିଗଞ୍ଜ ସେକ୍ଟର-ଡି ସ୍ଥିତ ଏକ ଚାରିମହଲା କୋଠାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଥିଲା । ଏଥିରେ ଅନେକ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ନିଜର ଜୀବନ ବଞ୍ଚାଇବା ପାଇଁ ଦ୍ୱିତୀୟ ଏବଂ ତୃତୀୟ ମହଲାରୁ ଏସି ପାଇପ୍ ସାହାଯ୍ୟରେ ଏବଂ ଝରକା ଭାଙ୍ଗି କିଛି ଲୋକ ତଳକୁ ଡେଇଁ ଥିଲେ, ଯେଉଁଥିରୁ ଅନେକ ଲୋକ ଗୁରୁତର ହୋଇ ଥିଲେ । ସେତେବେଳେ ପୁଲିସ୍ କୋଠା ମାଲିକ ସମେତ ଛଅ ଜଣଙ୍କ ବିରୁଦ୍ଧରେ ଅଲିଗଞ୍ଜ ଥାନାରେ ଅଣ-ଇଚ୍ଛାକୃତ ହତ୍ୟା ମାମଲା ରୁଜୁ କରିଥିଲା ଏବଂ କିଛି ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରି ଥିଲା ।