ଦଳ ବଦଳ କଲେ ବିଧାୟକଙ୍କ ନାଁରେ କେସ୍‌ କରିପାରିବେ ଲୋକେ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଆମ୍ ଆଦମୀ ପାର୍ଟିର ବିଧାୟକମାନେ ଯଦି ଅନ୍ୟ ଦଳକୁ ଯିବେ, ତେବେ ତାଙ୍କ ବିରୋଧରେ ଗୋଆବାସୀ କେସ୍ କରିପାରିବେ । ଏନେଇ ନିଜ ବିଧାୟକଙ୍କୁ ସତ୍ୟପାଠ କରାଇଛନ୍ତି ଆପ୍‌ର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ଗୋଟିଏ ଗଣମାଧ୍ୟମର କାର୍ଯ୍ୟକ୍ରମରେ କେଜ୍ରିୱାଲଙ୍କୁ କାହିଁକି ଆପ୍ ପ୍ରାର୍ଥୀମାନଙ୍କୁ ସତ୍ୟପାଠରେ ଦସ୍ତଖତ କରିବାକୁ ପଡ଼ିଲା ବୋଲି ପ୍ରଶ୍ନ କରାଯାଇଥିଲା। କ’ଣ ଆପ୍ ନେତାମାନେ ଜିତିବା ପରେ ଦଳ ବଦଳ କରିବାର ଭୟ ରହିଛି କି? ଏହାର ଉତ୍ତରରେ କେଜ୍ରିୱାଲ କହିଛନ୍ତି, “ଆମେ ନିଶ୍ଚିତ ଯେ ଆମେ ପ୍ରାର୍ଥୀମାନେ ଜିତିବା ପରେ କୌଣସି ଦଳକୁ ଯିବେ ନାହିଁ। କିନ୍ତୁ ଗୋଆର ରାଜନୀତି ଏତେ ବିଷାକ୍ତ ଓ ପ୍ରଦୂଷିତ ହୋଇଯାଇଛି ଯେ ଲୋକମାନେ ଦଳବଦଳକୁ ନେଇ ଆମକୁ ପ୍ରଶ୍ନ କରୁଛନ୍ତି।

କ’ଣ ଆମ ଦଳର ନେତା ଅନ୍ୟମାନଙ୍କ ଭଳି ଦଳବଦଳ କରିବେ ନାହିଁ ବୋଲି ସେମାନେ ପଚାରୁଛନ୍ତି। ଲୋକଙ୍କ ଏହି ଚିନ୍ତାଧାରାକୁ ବଦଳାଇବା ପାଇଁ ଆମେ ସତ୍ୟପାଠର ବ୍ୟବସ୍ଥା କରିଛୁ। ଏଥିରେ ସବୁ ପ୍ରାର୍ଥୀଙ୍କ ଦସ୍ତଖତ ରହିଛି ଓ ଏହାକୁ ପ୍ରତିଟି ଲୋକଙ୍କ ଘରେ ବଣ୍ଟା ଯାଉଛି।

ଆମେ ଭୋଟରଙ୍କୁ କହୁଛୁ ଯେ ଯଦି ଆପଣଙ୍କ ବିଧାୟକ ଦଳବଦଳ କରୁଛନ୍ତି, ତା’ହେଲେ ଆପଣମାନେ ତାଙ୍କ ନାଁରେ କେସ କରିପାରିବେ। ଏହି ସତ୍ୟପାଠକୁ ଦେଖାଇ ବିଧାୟକଙ୍କ ନାଁରେ ଠକେଇ, ମିଥ୍ୟା ସତ୍ୟପାଠ ଦାଖଲ ଓ ବିଶ୍ୱାସଘାତକ ଭଳି ମାମଲା କରିପାରିବେ।”

କେଜ୍ରିୱାଲ ଉକ୍ତ କାର୍ଯ୍ୟକ୍ରମରେ ଗୋଆରେ ଦଳ କଂଗ୍ରେସ ସହ କୌଣସି ପ୍ରକାରର ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଗୋଆରେ ତାଙ୍କୁ କ’ଣ ଭଲ ଲାଗିଛି ବୋଲି ପ୍ରଶ୍ନର ଉତ୍ତରରେ କେଜ୍ରିୱାଲ କହିଛନ୍ତି, “ମୁଁ ଗୋଆର ଲୋକଙ୍କୁ ବେଶ ପସନ୍ଦ କରେ। ଏଠାରେ ଥିବା ଲୋକମାନେ ବହୁତ ଭଲ। ସେମାନେ ମିଷ୍ଟଭାଷି, ଦୟାଳୁ ଓ ନିଷ୍ଠାପର। କିନ୍ତୁ ଏଠାକାର ରାଜନୀତି ବେଶ ଖରାପ। ଆମେ ଦିଲ୍ଲୀରେ ୭ ବର୍ଷ କ୍ଷମତାରେ ରହି ସାରା ଦେଶରେ ସବୁଠାରୁ ସ୍ୱଚ୍ଛ ଶାସନର ଉଦାହରଣ ସୃଷ୍ଟି କରିଛୁ।

ସ୍ୱଚ୍ଛ ଶାସନ କେମିତି ହୁଏ, ସେକଥା ଆମେ ଦେଶବାସୀଙ୍କୁ ଜଣାଇଛୁ। ଅନ୍ୟ ରାଜନୀତିକ ଦଳଗୁଡ଼ିକ ଦେଶକୁ ୭୦ ବର୍ଷ ହେଲାଣି ଧ୍ୱଂସ କରିଛନ୍ତି। ଦିଲ୍ଲୀବାସୀ ଆମକୁ ଦୁଇ ଥର ଶାସନ କରିବାକୁ ଅଧିକାର ଦେଇଛନ୍ତି। ଗୋଆ, ପଞ୍ଜାବ ଓ ଉତ୍ତରାଖଣ୍ଡର ଲୋକମାନେ ଆମକୁ ଥରେ ସୁଯୋଗ ଦେଲେ ଆଉ ସେମାନଙ୍କୁ ଅନ୍ୟ ଦଳଗୁଡ଼ିକୁ ଭୋଟ ଦେବାକୁ ପଡ଼ିବନି।

Related Posts