ଦୁବାଇ(ସତ୍ୟପାଠବ୍ୟୁରୋ): ଦୁବାଇରେ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍କୁ ମିଳିଛି ବଡ଼ ସଫଳତା। ମାତ୍ର ୩ ଦିନରେ ଓଡ଼ିଶାକୁ ଆସିଛି ୨ ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ। ଏହି ନିବେଶ ଦ୍ୱାରା ରାଜ୍ୟରେ ୬ ଲକ୍ଷ ୧୮ ହଜାର ୭୨୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ଆଶା କରାଯାଉଛି। ଓଡ଼ିଶାରେ ଶିଳ୍ପ ଓ ନିବେଶର ପରିବେଶକୁ ଆହୁରି ମଜଭୁତ କରିବା ଲକ୍ଷ୍ୟରେ ଦୁବାଇରେ ଆୟୋଜିତ ହୋଇଥିଲା ଏହି ଇନ୍ଭେଷ୍ଟର୍ସ ମିଟ୍। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଟିମ୍ ବିଭିନ୍ନ ଶିଳ୍ପପତି ଓ ନିବେଶକଙ୍କ ସହ ଆଲୋଚନା କରିଥିଲେ।
ମୁଖ୍ୟମନ୍ତ୍ରୀ ଓ ଟିମ୍ ମୋଟ ୫୨ଟି ୱାନ୍-ଟୁ-ୱାନ୍ ଏବଂ ରାଉଣ୍ଡ ଟେବୁଲ ବୈଠକ କରିଥିଲେ । ଏହି ବୈଠକରେ ୧୬୦ ଜଣ ଶିଳ୍ପସଂସ୍ଥାର ନେତୃତ୍ୱ ଓ ପ୍ରତିନିଧି ସାମିଲ ହୋଇଥିଲେ । ଓଡ଼ିଶାରେ ନିବେଶର ସମ୍ଭାବନା, ଶିଳ୍ପ ପ୍ରତିଷ୍ଠା ଓ ନୂଆ ରୋଜଗାର ସୃଷ୍ଟି ନେଇ ଆଲୋଚନା ହୋଇଥିଲା । ସେପଟେ, ଏହି ୩ ଦିନିଆ ଗସ୍ତରେ ମୋଟ ୮ଟି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ତେବେ ଦୁବାଇରୁ ଆସିଥିବା ଏହି ବଡ଼ ନିବେଶ ପ୍ରସ୍ତାବ ଓଡ଼ିଶାର ଶିଳ୍ପ ବିକାଶ ସହ ରୋଜଗାର କ୍ଷେତ୍ରରେ କେତେ ବଡ଼ ପରିବର୍ତ୍ତନ ଆଣିବ, ଏବେ ତା’ ଉପରେ ରହିଛି ସମସ୍ତଙ୍କ ନଜର ।
