ଝାରସୁଗୁଡ଼ା,(ସତ୍ୟପାଠବ୍ୟୁରୋ): ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିଲା ରାସ୍ତା, ହେଲେ ଦୁଇ ବର୍ଷ ବି ଗଲାଣି। ଗୋଟିଏ ବର୍ଷାରେ ରାସ୍ତା ଅବସ୍ଥା ବେହାଲ ହୋଇଥିବାବେଳେ ପୁରା ଧୋଇଯାଇଥିବା ଦେଖିବାକୁ ମିଳିଛି। ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି। ଏହି ରାସ୍ତାରେ ଯିବା ଆସିବା ଅସମ୍ଭବ ହୋଇପଡ଼ିଛି। ଦିନ କେଇଟାରେ ୫୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ରାସ୍ତାର ଏଭଳି ଦୁରବସ୍ଥାକୁ ନେଇ ତାତିଛନ୍ତି ଗ୍ରାମବାସୀ। ରାସ୍ତାସାରା ଏବେ ଖାଲ ଓ କାଦୁଅ ଭର୍ତ୍ତି ଥିବାବେଳେ ଧାନ ଚାରା ଲଗାଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଗାଁଲୋକେ। ଏଭଳି ଘଟଣା ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବଞ୍ଜରୀ ପଞ୍ଚାୟତରେ ଦେଖିବାକୁ ମିଳିଛି। ବାଞ୍ଜରୀରୁ ଜୟବୁଡ଼ିଆ ଓ ବାର୍ତ୍ତାପକୁ ସଂଯୋଗ କରୁଥିବା ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ବର୍ଷା ହେଲେ ଖାଲରେ ପାଣି ଜମି ରହୁ ଥିବାରୁ ରାସ୍ତାର ଅବସ୍ଥା ଆହୁରି ଦୟନୀୟ ହୋଇପଡ଼ୁଛି। ଦୈନିକ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟା ଭୋଗୁଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ରାସ୍ତା ନିର୍ମାଣ ସମୟରେ ନିମ୍ନମାନର କାମ ହୋଇଥିବାରୁ ଦୁଇ ବର୍ଷ ମଧ୍ୟରେ ରାସ୍ତା ନଷ୍ଟ ହୋଇଛି। ରାସ୍ତାର ମରାମତି ପାଇଁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏଯାଏଁ ପଦକ୍ଷେପ ନିଆଯାଇନଥିବା ସେମାନେ କହିଛନ୍ତି। ଏହାର ପ୍ରତିବାଦରେ ଗ୍ରାମବାସୀ ରାସ୍ତାରେ ଧାନ ଚାରା ଲଗାଇ ନିଆରା ଢଙ୍ଗରେ ଅସନ୍ତୋଷ ପ୍ରକାଶ କରିଥିଲେ। ୫୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିବା ରାସ୍ତା ଏତେ କମ୍ ସମୟରେ କିପରି ନଷ୍ଟ ହେଲା, ତାହାର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ତୁରନ୍ତ ରାସ୍ତା ମରାମତି କରିବା ସହ ନିର୍ମାଣ କାମର ମାନ ଯାଞ୍ଚ କରାଯିବାକୁ ଦାବି ହେଉଛି।