ସମ୍ବଲପୁର,(ସତ୍ୟପାଠ ବ୍ୟୁରୋ): ଯେଉଁଠାରେ ପାଠ ପଢ଼ିବା ପାଇଁ କୋଠା ଘର ଖଣ୍ଡିଏ ନାହିଁ, ସେଠାରେ ପିଲାଙ୍କୁ ମାଗଣା ବହି, ୟୁନିଫର୍ମ ଓ ମଧ୍ୟାହ୍ନ ଭୋଜନ କେଉଁ ଉଦ୍ଦେଶ୍ୟରେ ବଣ୍ଟନ କରାଯାଉଛି। ମୂଳ ଉଦ୍ଦେଶ୍ୟ ଧୀରେ ଧୀରେ  ବାଟବଣା ହେବାରେ ଲାଗିଛି। ଆଉ ମଉଳିବାରେ ଲାଗିଛି ଶିକ୍ଷାର ବିକାଶ ନେଇ ଥିବା ଆଶା। ଭିତ୍ତି ଭୂମି ହିଁ ପିଲାଙ୍କ ପାଠ ପଢ଼ା ପାଇଁ ପ୍ରଥମ ଓ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା। ଶିକ୍ଷାର ବିକାଶ ଓ ବିଦ୍ୟାଳୟ ରୂପାନ୍ତରଣକୁ ନେଇ ସରକାର ବଡ଼ ବଡ଼ ଦାବି କରୁଥିବାବେଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରୁ ଆସିଛି ଶିକ୍ଷା ବ୍ୟବସ୍ଥାର ଏକ ବିକଳ ଚିତ୍ର। ଗୁଣ୍ଡୁରୁଚୁଆଁ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡାଜାମୁମାଲ ପ୍ରାଥମିକ ବିଦ୍ୟାଳୟରେ ବିପଦସଙ୍କୁଳ କୋଠାରେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କୋମଳମତି ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏଠାରେ ପିଲାଙ୍କ ସୁରକ୍ଷା ଓ ମୌଳିକ ଆବଶ୍ୟକତା ନେଇ ଗୁରୁତର ପ୍ରଶ୍ନ ଉଠିଛି। ବିଦ୍ୟାଳୟ କୋଠାର ଛାତ ଦୀର୍ଘଦିନ ହେଲା ବିପଦସଙ୍କୁଳ ଅବସ୍ଥାରେ ରହିଛି। ଛାତରୁ ବଡ଼ ବଡ଼ ସିମେଣ୍ଟ ଅତଡ଼ା ଖସିପଡ଼ିବା ସହ ଲୁହା ରଡ୍‌ଗୁଡ଼ିକ ବାହାରକୁ ଝୁଲି ରହିଛି। ବର୍ଷା ଋତୁରେ ଛାତ ଫାଟି ପାଣି ଗଳୁଥିବାରୁ ଶ୍ରେଣୀଗୃହ ଭିତରେ ମଧ୍ୟ ପାଣି ଜମୁଛି। ଫଳରେ ବର୍ଷା ଦିନରେ ପିଲାମାନେ ଓଦା ପରିବେଶରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। କେତେବେଳେ ଛାତର ଭଗ୍ନ ଅଂଶ ଖସିପଡ଼ି ଅଘଟଣ ଘଟିବ, ତାହା ନେଇ ଅଭିଭାବକମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖାଦେଇଛି। କେବଳ ଛାତ ନୁହେଁ, ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା ମଧ୍ୟ ଗୁରୁତର। ପରିସରରେ ଥିବା ଏକମାତ୍ର ନଳକୂପର ପାଣି ଦୂଷିତ ହୋଇଥିବା ଅଭିଯୋଗ ହୋଇଛି। ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬ଟି ଶ୍ରେଣୀ ପାଇଁ ପୃଥକ ଶ୍ରେଣୀଗୃହ ଆବଶ୍ୟକ ହେଉଥିବା ବେଳେ ଏଠାରେ ରହିଛି ମାତ୍ର ୨ଟି ଶ୍ରେଣୀଗୃହ। ଫଳରେ ସ୍ଥାନାଭାବରେ ଏକାଧିକ ଶ୍ରେଣୀର ପିଲାଙ୍କୁ ଏକାଠି ବସାଇ ଶିକ୍ଷାଦାନ କରିବାକୁ ପଡ଼ୁଛି। ଏହା ଫଳରେ ଶିକ୍ଷାଦାନର ଗୁଣାତ୍ମକତା ମଧ୍ୟ ପ୍ରଭାବିତ ହେଉଛି। ବିଦ୍ୟାଳୟର ଏଭଳି ସମସ୍ୟା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ ପ୍ରଶାସନ ଏବଂ ଶିକ୍ଷା ବିଭାଗକୁ ବାରମ୍ବାର ଅବଗତ କରାଯାଇଥିବା କୁହାଯାଇଛି। ତଥାପି ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବିପଦସଙ୍କୁଳ ଛାତର ତୁରନ୍ତ ମରାମତି କିମ୍ବା ନୂତନ କୋଠା ନିର୍ମାଣ, ପର୍ଯ୍ୟାପ୍ତ ଶ୍ରେଣୀଗୃହ ଏବଂ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଯିବା ନେଇ ଅଭିଭାବକମାନେ ଦାବି କରିଛନ୍ତି। ଶିଶୁମାନଙ୍କ ସୁରକ୍ଷାକୁ ଅଣଦେଖା ନକରି ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନନେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଅଭିଭାବକ ମହଲରେ ଚେତାବନୀ ଦିଆଯାଇଛି।