ଅନୁଗୁଳ,(ସତ୍ୟପାଠବ୍ୟୁରୋ ) : ଅଚାନକ ମାଡ଼ି ଆସିଲା ବନ୍ୟା ପାଣି । ଗାଈ ଚରାଇବାକୁ ଯାଇ ନଦୀ ମଝିରେ ଫସିଗଲେ ଆଦିବାସୀ ମହିଳା । ଦୀର୍ଘ ଦୁଇ ଘଣ୍ଟାର ଅପରେସନ ପରେ ମହିଳାଙ୍କୁ ଉଦ୍ଧାର କରିଛି ଦମକଳ ବାହିନୀ । ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ପେଚାମୁଣ୍ଡି ପଞ୍ଚାୟତ ଶିମିଳିପାଳ ଗାଁ ନିକଟ ମାଙ୍କଡ଼ା ନଦୀ ପାଖରେ ପ୍ରାୟ ୫୦ଟି ଗାଈ ଚରାଉଥିଲେ ଆଦିବାସୀ ମହିଳା ପାର୍ବତୀ ମୁଣ୍ଡା । ଗାଈ ଚରାଇବା ସମୟରେ ହଠାତ୍ ନଦୀରେ ବନ୍ୟା ପାଣି ମାଡ଼ି ଆସିଥିଲା । ପାଣି ବଢ଼ିବା ସହ ଚାରିଆଡ଼ୁ ଜଳ ଘେରି ଯାଇଥିଲା । ଫଳରେ ପାର୍ବତୀ ନଦୀ ମଝିରେ ଥିବା ଏକ ଟାପୁରେ ଫସି ଯାଇଥିଲେ । ନଦୀର ପ୍ରଖର ସୁଅ ଯୋଗୁଁ ନିଜେ କୂଳକୁ ଫେରିବା ସମ୍ଭବ ହୋଇନଥିଲା । ମହିଳା ନଦୀ ମଝିରେ ଫସିଥିବା ଖବର ପାଇବା ପରେ ପାଲଲହଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ପାଣିର ପ୍ରଖର ସ୍ରୋତ ମଧ୍ୟରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଦୀର୍ଘ ପ୍ରାୟ ଦୁଇ ଘଣ୍ଟାର ପ୍ରୟାସ ପରେ ନଦୀ ଟାପୁ ମଝିରୁ ପାର୍ବତୀ ମୁଣ୍ଡାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ଦମକଳ ବାହିନୀ ।